ଇସ୍‌ଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନରେ କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ତେବେ ସରକାରୀ ଭାବେ ଫଳାଫଳ ଘୋଷଣା ହୋଇନାହିଁ। ବିସ୍ଫୋରଣ ଓ ରକ୍ତପାତରେ ମତଦାନ ପ୍ରକ୍ରିୟା ଗତକାଲି ଶେଷ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବୁଥ୍‌୍‌ ଜବରଦଖଲ ଏବଂ ଗଣତି କେନ୍ଦ୍ରଗୁଡ଼ିକରେ ଜାଲିଆତି ଅଭିଯୋଗ ସରଗରମ ସ୍ଥିତି ସୃଷ୍ଟି କରିଛି। ସର୍ବଶେଷ ଫଳାଫଳ ଅନୁଯାୟୀ ସର୍ବାଧିକ ୧୨୦ ଆସନରେ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ ଆଗୁଆ ରହିଛି। ସେହିଭଳି ଦ୍ୱିତୀୟ ସ୍ଥାନରେ ନଓ୍ଵାଜ ସରିଫ୍‌ଙ୍କ ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନଓ୍ଵାଜ) ୬୧ ଆସନରେ ଆଗୁଆ ଥିବା ବେଳେ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୪୦ ସିଟ୍‌ରେ ଆଗୁଆ ରହିଛି। ମୋଟ ୨୭୨ ସଂସଦୀୟ ଆସନରେ ମତଦାନ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି ୪୦ ସିଟ୍‌ରେ ଆଗୁଆ ଥିବାରୁ ଦଳ କିଙ୍ଗ୍‌ମେକର ସାଜିପାରେ ବୋଲି କୁହାଯାଉଛି। ତେବେ ପିପିପିର ସମର୍ଥନ ଅପେକ୍ଷା ଇମ୍ରାନ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ଏବଂ କ୍ଷୁଦ୍ର ଦଳଙ୍କ ଉପରେ ନଜର ରଖିଛନ୍ତି। ତେବେ କୌଣସି ଗୋଟିଏ ଦଳକୁ ବହୁମତ ନ ମିଳିବା କ୍ଷେତ୍ରରେ ପିପିପିର ସହାୟତା ଲୋଡ଼ାଯାଇପାରେ। ଅପରପକ୍ଷରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମର୍ଥନ ହାସଲ ପାଇଁ ଇମ୍ରାନ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ମୁତ୍ତାହିଦା ମଜଲିସ୍‌-ଏ-ଅମଲ୍‌ ୮ ସିଟ୍‌ରେ ଆଗୁଆ ରହିଛି। ଅନ୍ୟପକ୍ଷରେ ନିର୍ବାଚନରେ ପାକିସ୍ତାନ ସେନା ମାତ୍ରାଧିକ ହସ୍ତକ୍ଷେପ କରିବା ସହ ପଂଜାବ ପ୍ରଦେଶରେ ଭୋଟର୍‌ଙ୍କୁ ଆତଙ୍କିତ କରିଥିବା ନଜିର ରହିଛି । ନଓ୍ଵାଜ ସରିଫ୍‌୍‌ଙ୍କ ଦଳ ପିଏମ୍‌୍‌ଏଲ୍‌-ଏନ୍‌ ନିର୍ବାଚନ ପରିଣାମକୁ ପ୍ରତ୍ୟାଖ୍ୟାନ କରି ଏହା ଗଣତନ୍ତ୍ରର ହତ୍ୟା ବୋଲି ଦର୍ଶାଇଛି। ପିଏମ୍‌ଏଲ୍‌-ଏନ୍‌ର ବହୁ ବରିଷ୍ଠ ନେତା ନିର୍ବାଚନ ହାରିଯାଇଛନ୍ତି। ପୂର୍ବ ପ୍ରଧାନମନ୍ତ୍ରୀ ମହମ୍ମଦ ଖକ୍କନ ଅବ୍ଦାସୀ ମଧ୍ୟ ପରାଜିତ ହୋଇଛନ୍ତି। ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାପାଇଁ ଇମ୍ରାନଙ୍କ ନିମନ୍ତେ ଏବେ ରାସ୍ତା ସଫା ହୋଇଥିବା କୁହାଯାଉଛି।