ଚୋରମାନଙ୍କ ସହ ବସିବି ନାହିଁ ବୋଲି କହି ପ୍ରଧାନମନ୍ତ୍ରୀ ନିର୍ବାଚନକୁ ବର୍ଜନ କଲେ ଇମ୍ରାନ

ଇସଲାମାବାଦ: ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ପାକିସ୍ତାନ ପାଇଁ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରାଯିବ। ଏନେଇ ଆଜି ସଂସଦରେ ନିର୍ବାଚନ ହେବାକୁ ଥିବା ବେଳେ ମତଦାନକୁ ବର୍ଜନ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଆମେ ଏହି ସଂସଦରେ ବସିବୁ ନାହିଁ। ମୁଁ ଏହି ଚୋରମାନଙ୍କ ସହିତ ସଂସଦରେ ବସି ଭୋଟ ଦେବି ନାହିଁ।

ସେ ଆହୁରି କହିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ଉପରେ ୧୬ ବିଲିୟନ ଏବଂ ୮ ବିଲିୟନ ଟଙ୍କାର ଦୁର୍ନୀତି ମାମଲା ରହିଛି ସେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ଦେଶ ପାଇଁ ଲଜ୍ଜାଜନକ ବିଷୟ। ଏଥିପାଇଁ ତେହେରିକ୍-ଇ-ଇନସାଫ(ପିଟିଆଇ)ର ସମସ୍ତ ସଦସ୍ୟ ଇସ୍ତଫା ଦେବା ସହ ଏହି ନିର୍ବାଚନକୁ ବର୍ଜନ କରୁଛୁ।

indiatoday

ଉଲ୍ଲେଖଯୋଗ୍ୟ, ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ଗାଦିଚ୍ୟୁତ ହୋଇଛନ୍ତି। ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପାକିସ୍ତାନରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କାର୍ଯ୍ୟକାଳ କ୍ଷମତାରେ ରହିପାରି ନାହାନ୍ତି। ସେହିଭଳି ୭୫ ବର୍ଷରୁ ପାଖାପାଖି ଅଧା ସମୟ ଏଠାରେ ସେନା କ୍ଷମତାରେ ରହିଛି।

ସମ୍ବନ୍ଧିତ ଖବର