ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଚୀନର ଲୋକଙ୍କୁ ଛାଡ଼ିଦେଲେ ଭାରତ ସହିତ ଏସିଆର ଅନ୍ୟ ପ୍ରମୁଖ ଦେଶର ଲୋକମାନେ ସେମାନଙ୍କ ନିଜ ନିଜ ଦେଶକୁ ଫେରିବା ଲାଗି ଆଗ୍ରହୀ ଅଛନ୍ତି। ପିୟୁ ନାମକ ଏଜେନ୍ସି ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାଯାଇଛି। ଉଭୟ ଆମେରିକାରେ ଜନ୍ମ ହୋଇଥିବା ଏବଂ ବିଦେଶରୁ ଯାଇ ବାସ କରୁଥିବା ବିଦେଶୀ ବ୍ୟକ୍ତିଙ୍କ ଚିନ୍ତାଧାରା ସଂପର୍କରେ ଉକ୍ତ ସର୍ଭେ ଏକ ନୂଆ ଅନ୍ତର୍ଦୃଷ୍ଟି ପ୍ରଦାନ କରିଛି।
ଆମେରିକା ସମେତ ବିଶ୍ବର ଅନ୍ୟାନ୍ୟ ଦେଶରେ ବାସ କରୁଥିବା ଭାରତୀୟମାନଙ୍କୁ ନରେନ୍ଦ୍ର ମୋଦୀଙ୍କ ସରକାର ବହୁମାତ୍ରାରେ ଆକର୍ଷିତ କରିବା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି। ବିଶ୍ବ ଦରବାରରେ ଭାରତର ଭାବମୂର୍ତ୍ତିକୁ ବଢ଼ାଇବାରେ ଏମାନେ ବଡ଼ ଶକ୍ତି ବୋଲି ବିବେଚନା କରାଯାଉଛି। ଏଭଳି ସ୍ଥିତିରେ ଭାରତ ସଂପର୍କରେ ଆମେରିକାରେ ରହୁଥିବା ୭୬ ପ୍ରତିଶତ ଭାରତୀୟ ସାବାଳକ ଭାରତ ସଂପର୍କରେ ଅନୁକୂଳ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ ସେମାନେ ଭାରତକୁ ଫେରିଯିବେ କି ବୋଲି ପ୍ରଶ୍ନରେ ୬୫ ପ୍ରତିଶତ ଭାରତୀୟ ଆମେରିକାରେ ରହିବାକୁ ପସନ୍ଦ କରିବେ ବୋଲି କହିଛନ୍ତି। ତେବେ ୩୩ ପ୍ରତିଶତ ଭାରତୀୟ ଭାରତକୁ ଫେରିବା ଲାଗି ଆଗ୍ରହୀ ଥିବା ଏହି ସର୍ଭେରୁ ଜଣାଯାଇଛି। ଆମେରିକାରେ ଅଧିକ ଦିନ ହେଲା ରହି ଆସୁଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ସମୟ ଧରି ରହୁଥିବା ବ୍ୟକ୍ତିମାନେ ଭାରତକୁ ଫେରିବା ଲାଗି ଅଧିକ ଆଗ୍ରହୀ ଅଛନ୍ତି। ତେବେ ଆମେରିକାରେ ଜନ୍ମ ହୋଇଥିବା ଅଧିକାଂଶ ଭାରତୀୟ ସାବାଳକ (୮୫ ପ୍ରତିଶତ) ଦେଶକୁ ଫେରିବାକୁ ଅନାଗ୍ରହୀ। ଭାରତକୁ ଯେଉଁମାନେ ଫେରିବାକୁ ଆଗ୍ରହ ବ୍ୟକ୍ତ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧାଅଧି ସାବାଳକ ବଞ୍ଚିବା ଲାଗି ଆବଶ୍ୟକ ଖର୍ଚ୍ଚ କମ୍କୁ କାରଣ ଭାବେ ଦର୍ଶାଇଛନ୍ତି। ଆମେରିକାରେ ରହୁଥିବା ପ୍ରାୟ ୫୯ ପ୍ରତିଶତ ସାବାଳକ ଚୀନ ସଂପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ପ୍ରତିଶତ ଭାରତୀୟ ସାବାଳକ ଚୀନ ସଂପର୍କରେ ଅତ୍ୟନ୍ତ ପ୍ରତିକୂଳ ମତ ଦେଇଛନ୍ତି।
ଆମେରିକାରେ ବାସ କରୁଥିବା ଏସୀୟ ଆମେରିକୀୟମାନଙ୍କ ମଧ୍ୟରେ ୫୩ ପ୍ରତିଶତଙ୍କ କହିବାନୁଯାୟୀ, ଆଗାମୀ ଦଶନ୍ଧିରେ ଆମେରିକା ବିଶ୍ବର ଅଗ୍ରଣୀ ଅର୍ଥନୈତିକ ଶକ୍ତି ହେବ। ଭାରତ ଏବଂ ଜାପାନ ଅଗ୍ରଣୀ ଅର୍ଥନୈତିକ ଶକ୍ତି ହେବା ସଂପର୍କରେ କମ୍ ଲୋକ ମତ ଦେଇଛନ୍ତି। ଭାରତ ଆଗାମୀ ଦଶନ୍ଧିରେ ବିଶ୍ବର ଅଗ୍ରଣୀ ଅର୍ଥନୈତିକ ଶକ୍ତି ହେବ ବୋଲି ୧୫ ପ୍ରତିଶତ ଭାରତୀୟ ଆମେରିକୀୟ ମତ ଦେଇଛନ୍ତି।