ନୂଆଦିଲ୍ଳୀ: ପବ୍‌ଜୀ ପାର୍ଟନର୍‌ ସଚିନଙ୍କ ପ୍ରେମ ପାଇବା ପାଇଁ ପାକିସ୍ତାନରୁ ଭାରତ ପର୍ଯ୍ୟନ୍ତ ବେଆଇନ ଭାବେ ସୀମା ଅତିକ୍ରମ କରିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ ରହିଛି। ଜୁଲାଇ ୪ ତାରିଖରେ ଏହି ପ୍ରେମୀଯୁଗଳଙ୍କୁ ଗିରଫ କରା ଯାଇଥିବା ବେଳେ ୬ ତାରିଖରେ ଗ୍ରେଟର ନୋଏଡା କୋର୍ଟ ଉଭୟଙ୍କୁ ମୁକ୍ତ କରିଥିଲେ।

Advertisment

ସୀମା ବର୍ତ୍ତମାନ ଭାରତରେ ରହିବାକୁ ଚାହୁଁଛନ୍ତି। ସୀମା ଦାବି କରିଛନ୍ତି ଯେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ପ୍ରତିଦିନ ତୁଳସୀ ପୂଜା କରି ନିଜର ଦିନ ଆରମ୍ଭ କରୁଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନେପାଳରୁ ଆସିଥିବା ଏହି ଯୁବତୀ ଜଣକ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସଚିନ୍ ରାଗରେ ଆସି ତାଙ୍କ ସହ ଗୋଟାଏ ରାତି କଥା ହେଉନଥିଲେ, ସେତେବେଳେ ସେ ତାଙ୍କ ହାତର ଶିରା କାଟି ଦେଉଥିଲେ।

ଯୁବତୀ ଜଣକ ରବିବାର ଦିନ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସୀମା କହିଛନ୍ତି କି ସଚିନ ଏବଂ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ କଥା ହେଉଥିଲେ। ସେ ଆହୁରି ବି କହିଛନ୍ତି ଯେ ସଚିନ ରାଗିଗଲେ ସେ ତାଙ୍କ ହାତ କାଟି ନିଜର କ୍ଷତି ପହଞ୍ଚାଇବାକୁ ପଛାନ୍ତି ନାହିଁ।

ଯେତେବେଳେ ନେପାଳ ସୀମା ପାର ହେବା ବିଷୟରେ ସୀମାଙ୍କୁ ପଚରାଗଲା, ସେ କହିଛନ୍ତି କି ସୁରକ୍ଷା କର୍ମୀମାନେ ପଚରାଉଚରା କରିବା ବେଳେ ସେ ସଚିନଙ୍କୁ ତାଙ୍କ ସ୍ୱାମୀ ବୋଲି କହିଥିଲେ।  ସୀମା ପୂର୍ବରୁ କହିଥଲେ ଯେ ସେ ନେପାଳର ପଶୁପତିନାଥ ମନ୍ଦିରରେ ସଚିନଙ୍କୁ ବିବାହ କରିଛନ୍ତି।

ସୀମା ଆହୁରି ମଧ୍ୟ କହିଛନ୍ତି, 'ମୁଁ ସଚିନଙ୍କୁ ତିନି ବର୍ଷ ଧରି ଜାଣିଛି। ମୁଁ ତାଙ୍କୁ ଭଲପାଏ ଏବଂ ତାଙ୍କ ବିନା ବଞ୍ଚି ପାରିବି ନାହିଁ। ଆଖପାଖ ଲୋକଙ୍କ କଥା ମୋ ପାଇଁ ଗୁରୁତ୍ବ ରଖେ ନାହିଁ। ମୋ ସ୍ବାମୀ ଓ ବାପାମାଆ ମୋ ପାଇଁ ସବୁକିଛି। ସଚିନଙ୍କଠାରୁ ମୁଁ ଦୂରେଇ ରହିପାରିବି ନାହିଁ। ମୁଁ ହିନ୍ଦୁ ଧର୍ମ ଗ୍ରହଣ କରିଛି। ମାଆ ତୁଳସୀଙ୍କ ପୂଜା କରି ମୁଁ ମୋର ଦିନ ଆରମ୍ଭ କରୁଛି।’