ନୂଆଦିଲ୍ଲୀ: ପବଜୀ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ପୁଣି ଥରେ ଦେଶକୁ ନୂଆ ଭାବରେ ଫେରୁଛି ଏହି ଲୋକପ୍ରିୟ ଗେମିଂ ଆପ୍। ଏ ନେଇ କମ୍ପାନି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଯଦିଓ କମ୍ପାନି ପକ୍ଷରୁ ଲଞ୍ଚର କୌଣସି ତାରିଖ ଘୋଷଣା କରାଯାଇ ନାହିଁ, ତଥାପି ଟିଜର୍ ଭିଡିଓରୁ ଜଣାପଡ଼ିଛି ଯେ ଗେମ୍ଟି ପୂର୍ବ ଅପେକ୍ଷା ଆହୁରି ଆକର୍ଷଣୀୟ ହେବ।
କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ଯେ ଭାରତରେ ପବ୍ଜୀ ମୋବାଇଲ୍ ଇଣ୍ଡିଆ ନାମରେ ପୁଣି ଥରେ ଏହାକୁ ଲଞ୍ଚ୍ କରାଯିବ। ପବଜୀ ଏଠାରେ ଏକ ଭାରତୀୟ ସହଯୋଗୀ କମ୍ପାନି ପ୍ରତିଷ୍ଠା କରିବ, ଯେଉଁଥିରେ ବିଭିନ୍ନ ଶ୍ରେଣୀରେ ପ୍ରାୟ ୧୦୦ରୁ ଊର୍ଧ୍ବ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବର ମାସରେ ସୀମାରେ ଚୀନ୍ ସହିତ ଉତ୍ତେଜନା ପରେ ପବ୍ଜୀ ସମେତ ୧୧୮ଟି ଚୀନା ମୋବାଇଲ୍ ଆପ୍ଲିକେସନ୍କୁ ବ୍ୟାନ୍ କରି ଦେଇଥିଲେ ଭାରତ ସରକାର। ଏ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚୀନ୍କୁ ମାତ୍ ଦେବାକୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କିଛି ଲୋକ କହୁଥିବା ବେଳେ କିଛି ଦୁଃଖ ପ୍ରକାଶ କରିଥିଲେ।
ପବ୍ଜୀ ପରି ବ୍ୟାନ୍ ହୋଇଥିବା ଅନ୍ୟାନ୍ୟ ଆପ୍ଗୁଡ଼ିକ ଦେଶରୁ ତଥ୍ୟ ଚୋରି କରିବାରେ ସହାୟ ହେଉଥିବା ଦର୍ଶାଇ ଏହି ସବୁ ଆପ୍କୁ ଉଚ୍ଛେଦ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏବେ ପୁଣି ଥରେ ପବ୍ଜୀ ନୂଆ ଭାବରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ଖବର ପବ୍ଜୀ ବ୍ୟବହାରକାରୀଙ୍କ ମନରେ ଖୁସି ଆଣିଦେବ ନିଶ୍ଚୟ।