ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଗଲା ପବଜି, ଆଉ କରିପାରିବେନି ଡାଉନଲୋଡ଼

ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି ଭାରତ ସରକାର ପବଜି ସହ ୧୧୮ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି | ପବଜି ନିଷେଧ ହେବା ପରେ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି | ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପ୍ ଷ୍ଟୋର୍‌ରେ ପବଜି ଆଉ ଉପଲବ୍ଧ ନାହିଁ | ଅର୍ଥାତ୍ ଉପଭୋକ୍ତାମାନେ ଆଉ ପବଜି ଡାଉନଲୋଡ୍ କରିପାରିବେ ନାହିଁ | ଏପରିକି ପବଜି ମୋବାଇଲ୍ ସହିତ ଏହାର ଲାଇଟ୍ ଭର୍ସନ୍ ପବଜି ମୋବାଇଲ୍ ଲାଇଟ୍ ମଧ୍ୟ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି | ଏଣିକି ଯେତେବେଳେ ଆପଣ ଗୁଗୁଲରେ ପବଜି ମୋବାଇଲ୍ ସର୍ଚ୍ଚ କରିବେ, ଆପଣ ଏହି ଆପକୁ ତାଲିକାରେ ଦେଖିବେ, କିନ୍ତୁ ପ୍ଲେ ଷ୍ଟୋରରେ ଡାଉନଲୋଡ୍ କରିପାରିବେ ନାହିଁ |

ସେହିପରି ମୋବାଇଲରେ ପୂର୍ବରୁ ଡାଉନଲୋଡ଼ ହୋଇଥିବା ପବଜି ମଧ୍ୟ ଶୀଘ୍ର ବନ୍ଦ ହୋଇଯିବ | ଏଥିପାଇଁ ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ଏହି ଆପ୍ ବନ୍ଦ କରିବାକୁ କହିଥାନ୍ତି ଯାହା ପରେ ଏହି ଆପ୍ ଆପଣଙ୍କ ମୋବାଇଲରେ ମଧ୍ୟ ଖୋଲିବ ନାହିଁ | ସୂଚନା ଥାଉ କି ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ସହିତ ଚୀନ୍‌ ସେନା ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି। ଏଭଳି ସ୍ଥିତିରେ ଭାରତ ଚୀନ ବିରୋଧରେ ତାହାର ଆଭିମୁଖ୍ୟକୁ କଡ଼ା କରିଛି।

ଶତ୍ରୁ ଦେଶ ଚୀନକୁ ପାନେ ଦେବା ପାଇଁ ଏହି ଦେଶର ଲୋକପ୍ରିୟ ମୋବାଇଲ ଭିଡିଓ ଆପ୍ ପବ୍‌ଜି ସମେତ ୧୧୮ଟି ଆପ୍‌କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ପୂର୍ବରୁ ଭାରତ ସରକାର ପ୍ରଥମେ ଚୀନର ଲୋକପ୍ରିୟ ଆପ୍‌ ଟିକ୍‌ଟକ୍ ସମେତ ୫୯ଟି ଆପ୍‌କୁ ନିଷିଦ୍ଧ କରିଥିଲେ। ଏହାର କିଛିଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ ଚୀନର ୪୭ଟି ଆପ୍‌କୁ ବନ୍ଦ କରିଥିବାବେଳେ ତୃତୀୟ ପର୍ଯ୍ୟାୟରେ ଏହି ବଡ଼ ଡିଜିଟାଲ ଆକ୍ରମଣ କରିଛନ୍ତି।

ସମ୍ବନ୍ଧିତ ଖବର