ନୂଆଦିଲ୍ଲୀ: ପାଟନାରେ ଆଜି ବିରୋଧୀ ବୈଠକ ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି। ସ୍ମୃତି କହିଛନ୍ତି, କଂଗ୍ରେସ ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ହରାଇପାରିବନି। ସେମାନଙ୍କୁ ଏଥିପାଇଁ ସାହାଯ୍ୟ ଦରକାର ଏବଂ ଆଜି ତାହା ସେମାନେ ସ୍ବୀକାର କରିଛନ୍ତି। ଏଥିପାଇଁ କଂଗ୍ରେସକୁ ଧନ୍ୟବାଦ। ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଯେ ଏମର୍ଜେନ୍ସି ସମୟରେ ଗଣତନ୍ତ୍ରର ହତ୍ୟା ଦେଖିଥିବା ନେତାମାନେ ଆଜି କଂଗ୍ରେସ ନେତୃତ୍ବ ଅଧୀନରେ ଏକାଠି ହୋଇଛନ୍ତି।

Advertisment

ଏହା ମଧ୍ୟ ହାସ୍ୟାସ୍ପଦ ଯେ ଏହି ଲୋକମାନେ ଏକାଠି ହୋଇ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ସେମାନେ ମୋଦୀଜୀଙ୍କ ସହ ଏକାକୀ ଲଢ଼େଇ କରିପାରିବେନି। ଉକ୍ତ କଥାକୁ ସର୍ବସମ୍ମୁଖରେ ସ୍ବୀକାର କରିଥିବାରୁ ମୁଁ ଏଥିପାଇଁ କଂଗ୍ରେସକୁ ଧନ୍ୟବାଦ ଜଣାଉଛି ବୋଲି ସ୍ମୃତି କହିଛନ୍ତି। କଂଗ୍ରେସକୁ କଟାକ୍ଷ କରି ସ୍ମୃତି କହିଛନ୍ତି, ମୁଁ ପୁଣିଥରେ ପଚାରିବାକୁ ଚାହୁଛି ଯେ ୧୯୮୪ ଦଙ୍ଗା, ଏମର୍ଜେନ୍ସି ଏବଂ ମିସା କ’ଣ କଂଗ୍ରେସ ‘ମୋହବତ’ର ଏକ ଉଦାହରଣ । ଆପ୍‌ ଆଜି କଂଗ୍ରେସକୁ ଯେଉଁ ଖୋଲା ଧମକ ଦେଇଛି ଉକ୍ତ ପ୍ରସଙ୍ଗରେ ସ୍ମୃତି କହିଛନ୍ତି, ଜଣେ ନେତା କହୁଛନ୍ତି, ବୈଠକରେ କ’ଣ ହେବ ସେ ଜାଣିନାହାନ୍ତି, ଦ୍ବିତୀୟ ନେତା କହୁଛନ୍ତି, କ’ଣ ହେବ ଦେଖିବା ଏବଂ ତୃତୀୟ ନେତା କହୁଛନ୍ତି ଯଦି ମୋର ଦାବି ନରୁହେ ତେବେ ମୁଁ ଓହରିଯିବି। ଏହା ହେଉଛି ବିରୋଧୀ ଏକତାର ବାସ୍ତବ ସ୍ଥିତି।