ତେଲ ଅବିବ: ହମାସ୍‌ ବିରୋଧୀ ଯୁଦ୍ଧରେ ଇସ୍ରାଏଲ ଯେଭଳି ସଫଳ ରଣନୀତି ଗ୍ରହଣ କରିବା କଥା ତାହା ଦେଖିବାକୁ ମିଳୁନାହିଁ ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏଥିରେ ଦୟନୀୟ ଭାବେ ବିଫଳ ହୋଇଛନ୍ତି ବୋଲି ଅନେକ ଇସ୍ରାଏଲୀ ନାଗରିକ ସେମାନେ କ୍ଷୋଭ ପ୍ରକଟ କରିଛନ୍ତି। ଏଥିପାଇଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହସ୍ପିଟାଲ ପରିସରରେ ପ୍ରବେଶ କରିବାକୁ ଦିଆଯାଇ ନାହିଁ। ମନ୍ତ୍ରୀମାନଙ୍କୁ ଲୋକଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଆତଙ୍କ ସମୟରେ ସ୍ଥାନାନ୍ତର ହୋଇଥିବା ପରିବାରକୁ ସାନ୍ତ୍ୱନା ଦେବା ପାଇଁ ଆସିଥିବା ବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ‘ଦେଶଦ୍ରୋହୀ’ ଓ ‘ବିଶ୍ବାସଘାତକ’ କହି ଗାଳି ଦିଆଯାଇଥିଲା। ନେତାନ୍ୟାହୁ ସରକାର ଉପରେ ଇସ୍ରାଏଲବାସୀଙ୍କର ଏହା ହେଉଛି ପ୍ରତିକ୍ରିୟା।

Advertisment

ଅକ୍ଟୋବର ୭ରେ ହମାସ ଆକ୍ରମଣ ଇସ୍ରାଏଲବାସୀଙ୍କୁ ଅତ୍ୟନ୍ତ କଷ୍ଟ ଦେଇଛି। ଏହାର ପ୍ରତିଶୋଧ ନେବା ପାଇଁ ସରକାର ଗାଜା ଉପରେ ଯେଭଳି ଆକ୍ରମଣ କରୁଛନ୍ତି, ତାହା ବି ଦେଶବାସୀଙ୍କୁ ଖୁସି ଦେଇପାରୁ ନ ଥିବା ଜଣାପଡ଼ିଛି। ରେକର୍ଡ ଦୀର୍ଘ ସମୟ ଧରି ଶାସନ କରି ଆସୁଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ଆଗକୁ ବହୁତ ବଡ଼ ଆହ୍ବାନର ସମୟ ଆସୁଛି। ୧,୪୦୦ ଇସ୍ରାଏଲୀଙ୍କ ମୃତ୍ୟୁକୁ ନେଇ ଜନଅସନ୍ତୋଷ କୁହୁଳୁଥିବା ବେଳେ ନିଜକୁ ଚର୍ଚ୍ଚିଲିଆନ୍ ରଣନୀତିଜ୍ଞ କହୁଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରତି ଜନଅସନ୍ତୋଷ ବୃଦ୍ଧି ପାଇଛି। ୧୯୭୩ ମସିହା ଅକ୍ଟୋବର ମାସରେ ଇଜିପ୍ଟ ଓ ସିରିଆର ଦ୍ବିମୁଖୀ ଆକ୍ରମଣର ପୂର୍ବାନୁମାନ କରିବାରେ ଇସ୍ରାଏଲର ବିଫଳତାକୁ ମନେ ପକାଇ ଏକ ପ୍ରମୁଖ ଖବରକାଗଜ ‘ଅକ୍ଟୋବର ୨୦୨୩ ଡିବାକଲ୍’ ଶୀର୍ଷକରେ ଲେଖା ପ୍ରକାଶ କରିଛି, ଯେଉଁ ବିଫଳତା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଗୋଲ୍‌ଡା ମିର୍‌ଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ନେତାନ୍ୟାହୁଙ୍କୁ ଅନୁରୂପ ଦଶା ଭୋଗିବାକୁ ପଡ଼ିପାରେ ବୋଲି ଜେରୁଜେଲମର ଶାଲୋମ୍ ହାର୍ଟମ୍ୟାନ୍ ଇନଷ୍ଟିଚ୍ୟୁଟ୍‌ର ରିସର୍ଚ୍ଚ ଫେଲୋ ଆମୋଜ ଆସା-ଏଲ୍ ପୂର୍ବାନୁମାନ କରିଛନ୍ତି।
ତଦନ୍ତ କମିସନ ଅଛି କି ନାହିଁ କିମ୍ବା ସେ ଦୋଷ ସ୍ୱୀକାର କରୁଛନ୍ତି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। କେବଳ ସାଧାରଣ ଇସ୍ରାଏଲୀମାନେ କ’ଣ ଭାବୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ - ଏହା ଏକ ବିଫଳତା ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ଆସା-ଏଲ୍ କହିଛନ୍ତି। ‘ସେ ଯିବେ, ଏବଂ ତାଙ୍କ ସହିତ ତାଙ୍କର ସମଗ୍ର ପ୍ରତିଷ୍ଠାନ ମଧ୍ୟ ଯିବ’ ବୋଲି ସେ କହିଛନ୍ତି।

ମାରିଭ ଖବରକାଗଜରେ ପ୍ରକାଶିତ ଏକ ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ୨୧% ଇସ୍ରାଏଲବାସୀ ଚାହୁଛନ୍ତି ଯେ ଯୁଦ୍ଧ ପରେ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ରୁହନ୍ତୁ। ୬୬% ‘ଅନ୍ୟ କେହି’ ଏବଂ ୧୩% ଅନିଶ୍ଚିତ ବୋଲି କହିଥିଲେ। ଯଦି ଆଜି ନିର୍ବାଚନ ହୁଏ, ତେବେ ନେତାନ୍ୟାହୁଙ୍କ ଦଳ ଲିକୁଡ ଏହାର ଏକ ତୃତୀୟାଂଶ ଆସନ ହରାଇବ ଏବଂ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବେନି ଗାଞ୍ଜଙ୍କ ନ୍ୟାସନାଲ ୟୁନିଟି ପାର୍ଟିର ଆସନ ସଂଖ୍ୟା ଏକ ତୃତୀୟାଂଶ ବୃଦ୍ଧି ପାଇବ।
କିନ୍ତୁ ଇସ୍ରାଏଲବାସୀ ଏବେ ଭୋଟ୍ ଚାହୁନାହାନ୍ତି। ସେମାନେ କାର୍ଯ୍ୟାନୁଷ୍ଠାନ ଚାହୁଛନ୍ତି ଏବଂ ପ୍ରତିଆକ୍ରମଣ ଏକ ସମ୍ଭାବ୍ୟ ସ୍ଥଳ ଆକ୍ରମଣରେ ପରିଣତ ହେଉଥିବାରୁ ପୂର୍ବତନ ସାମରିକ ମୁଖ୍ୟ ଗାଞ୍ଜ ରାଜନୈତିକ ମତଭେଦକୁ ଭୁଲି ନେତାନ୍ୟାହୁଙ୍କ ସହ ଜରୁରିକାଳୀନ କ୍ୟାବିନେଟରେ ସାମିଲ ହୋଇଛନ୍ତି। ଇସ୍ରାଏଲ ଇତିହାସରେ ସାଧାରଣ ନାଗରିକଙ୍କ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣକୁ ଆକଳନ କରିବା ଏବଂ ରୋକିବାରେ ତାଙ୍କର ଶୀର୍ଷ ଜେନେରାଲ, ପ୍ରତିରକ୍ଷା ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଗୁଇନ୍ଦା ମୁଖ୍ୟମାନେ ବିଫଳ ହୋଇଥିବା ସ୍ୱୀକାର କରିଥିଲେ ମଧ୍ୟ ନେତାନ୍ୟାହୁ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ଉତ୍ତରଦାୟିତ୍ୱ ବିଷୟରେ କୌଣସି ବୟାନ ଦେଇନାହାନ୍ତି। ଇସ୍ରାଏଲ ଏହାର ପ୍ରତିଆକ୍ରମଣ ପାଇଁ ପାଶ୍ଚାତ୍ୟ ସମର୍ଥନ ହାସଲ କରିଛି। ଯଦି ପାଲେଷ୍ଟାଇନରେ ମୃତ୍ୟୁ ଓ ସାମରିକ କ୍ଷୟକ୍ଷତି ସହ ଗାଜାର ଭୂମି ଆକ୍ରମଣ ଅଟକିଯାଏ ତେବେ ଏହା ମଉଳି ଯାଇପାରେ। ଏହି ଯୁଦ୍ଧ ନେତନ୍ୟାହୁଙ୍କ ବୈଦେଶିକ ନୀତିର ଦୁଇଟି ପ୍ରସଙ୍ଗକୁ ମଧ୍ୟ ବିଗାଡ଼ି ଦେଇପାରେ: ସାଉଦି ଆରବ ସହିତ ଶାନ୍ତି, ଯାହା ବର୍ତ୍ତମାନ ସ୍ଥଗିତ ଅଛି, ଏବଂ ଇରାନକୁ ନିୟନ୍ତ୍ରଣ କରିବା, ଯିଏ କି ଇସ୍ରାଏଲର ବିନାଶ ପାଇଁ ଶପଥ ନେଇଥିବା ହମାସର ଆକ୍ରମଣକୁ ପ୍ରଶଂସା କରୁଛି।