ନୂଆଦିଲ୍ଲୀ: ତାଜମହଲ ମୋଗଲ ସମ୍ରାଟ ଶାହ ଜାହାନଙ୍କ ଦ୍ବାରା ନିର୍ମିତ ହୋଇ ନଥିଲା। ଏଭଳି ଏକ ଜନସ୍ବାର୍ଥ ମାମଲା ଦିଲ୍ଲୀ ହାଇକୋର୍ଟରେ ହୋଇଛି। ଉକ୍ତ କୀର୍ତ୍ତିରାଜିର ଠିକ୍ ଇତିହାସ ପ୍ରକାଶ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନ କରାଯାଇଛି। ହିନ୍ଦୁ ସେନା ନାମକ ଏକ ଏନ୍ଜିଓର ସଭାପତି ସୁରଜିତ ସିଂହ ଯାଦବ ଉକ୍ତ ଆବେଦନ କରିଛନ୍ତି। ଶ୍ରୀ ସିଂହ ଯୁକ୍ତି ବାଢ଼ିଛନ୍ତି ଯେ ତାଜ୍ମହଲ ହେଉଛି ରାଜା ମାନ ସିଂହଙ୍କ ପ୍ରାସାଦ। ପରେ ଏହାକୁ ମୋଗଲ ସମ୍ରାଟ ଶାହ ଜହାଁ ନବୀକରଣ କରିଥିଲେ।
ଇତିହାସ ପୁସ୍ତକରୁ ଭୁଲ୍ ତଥ୍ୟ ହଟାଇବା ପାଇଁ ଏଏସଆଇ, କେନ୍ଦ୍ର ସରକାର, ଭାରତୀୟ ଜାତୀୟ ଅଭିଲେଖାଗାର ଏବଂ ଉତ୍ତର ପ୍ରଦେଶ ସରକାର ଉପଯୁକ୍ତ ପଦକ୍ଷେପ ନେବାକୁ ଆବେଦନ କରାଯାଇଛି। ଶୁକ୍ରବାର ଏହି ମାମଲାରେ ଇତିହାସ ବହିରେ ପରିବର୍ତ୍ତନ ପାଇଁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।