ଜନପ୍ରତିନିଧିଙ୍କ ‘ସ୍ବୟଂକ୍ରିୟ ଅଯୋଗ୍ୟତା’ ବିରୋଧରେ ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା

ନୂଆଦିଲ୍ଲୀ: ୨୦୧୯ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧି ତାଙ୍କର ଲୋକସଭା ସାଂସଦ ପଦ ହରାଇଛନ୍ତି। ଏହାକୁ ନେଇ ସୁପ୍ରିମ୍‌କୋର୍ଟରେ ଦୋଷୀସାବ୍ୟସ୍ତ ଜନପ୍ରତିନିଧିଙ୍କ ସ୍ବୟଂକ୍ରିୟ ଅଯୋଗ୍ୟତା ବିରୋଧରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ ୧୯୫୧ ଅଧିନିୟମର ଚାପ୍ଟର ୩ ଅନୁଯାୟୀ ଅଯୋଗ୍ୟ ଘୋଷଣା ପୂର୍ବରୁ ଅପରାଧର ପ୍ରକୃତି, ଗମ୍ଭୀରତା, ନୈତିକ ଦିଗ ଏବଂ ଅଭିଯୁକ୍ତର ଭୂମିକା ଉପରେ ତର୍ଜମା କରାଯିବା ଉଚିତ।

ଜନୈକା କେରଳୀ ସାମାଜିକ କର୍ମୀ ଆଭା ମୁରଲୀଧରନ ଏହି ପିଆଇଏଲ୍‌ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଧାରା ୮(୩) ବିଭିନ୍ନ ରାଜନୈତିକ ଦଳର ମିଥ୍ୟା ରାଜନୈତିକ କାର୍ଯ୍ୟସୂଚୀକୁ ଖୋରାକ ଯୋଗାଉଛି। ଏହା ଦେଶର ଗଣତାନ୍ତ୍ରିକ ଢାଞ୍ଚା ପ୍ରତି ଏକ ଆକ୍ରମଣ। ଏହା ଦେଶର ନିର୍ବାଚନୀ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି କରିପାରେ। ସ୍ବୟଂକ୍ରିୟ ଅଯୋଗ୍ୟତା ଦେଶର ପ୍ରାକୃତିକ ନ୍ୟାୟ ନୀତିର ବିରୋଧୀ କାରଣ ଅନେକ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ବି ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଉଛନ୍ତି। ଆଭାଙ୍କ ଏହି ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ହୋଇପାରେ।

ସମ୍ବନ୍ଧିତ ଖବର