ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁକୁ ନେଇ ଜନସ୍ବାର୍ଥ ମାମଲା

କେନ୍ଦ୍ର, ଓଡ଼ିଶା ସମେତ ୧୭ ରାଜ୍ୟକୁ ନୋଟିସ୍‌
ଓଡ଼ିଶାରେ ୧୧ ବର୍ଷରେ ପ୍ରାଣ ହରାଇଛନ୍ତ ୧୧୭ ହାତୀ

ନୂଆଦିଲ୍ଲୀ : ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁକୁ ନେଇ ପରିବେଶବିତ୍‌ ପ୍ରେରଣା ସିଂହ ବିନ୍ଦ୍ରାଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର୍‌ କରାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର ଏବଂ ଓଡ଼ିଶା ସମେତ ୧୭ଟି ରାଜ୍ୟକୁ ନୋଟିସ୍‌ ଜାରି କରିବା ସହ ଜବାବ ତଲବ କରିଛନ୍ତି।

ମାମଲାକୁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା, ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍‌ ହିମା କୋହଲୀଙ୍କ ଖଣ୍ଡପୀଠ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ଆଡଭୋକେଟ୍‌ ଅନ୍‌ ରେକର୍ଡ ଅଭିକଳ୍ପ ପ୍ରତାପ ସିଂହଙ୍କ ଜରିଆରେ ଏହା ଦାଖଲ କରାଯାଇଛି। ଏଥିରେ ଭାରତରେ ହାତୀମାନଙ୍କର ଅପ୍ରାକୃତିକ କାରଣରୁ ମୃତ୍ୟୁ ଗ୍ରାଫ୍‌ ବୃଦ୍ଧି ହେବାରେ ଲାଗିଛି ବୋଲି କୁହାଯାଇଛି । ଯେଉଁଥିରେ ବିଦ୍ୟୁତ୍‌ ଆଘାତ ଜନିତ ମୃତ୍ୟୁ ସର୍ବାଧିକ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା ନିକଟରେ ମନୁଷ୍ୟ ଓ ହାତୀ ସଂଘର୍ଷକୁ ନେଇ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି। ଯେଉଁଥିରେ ୨୦୧୪-୧୫ ରୁ ୨୦୧୮-୧୯ ମଧ୍ୟରେ ମୃତ୍ୟୁ ‌ହୋଇଥିବା ୫୫୦ ହାତୀ ମଧ୍ୟରୁ ୩୩୩ ଟି ହାତୀଙ୍କ ମୃତ୍ୟୁ ବିଦ୍ୟୁତ୍‌ ଆଘାତଜନିତ ବୋଲି ଉଲ୍ଲେଖ ରହିଛି।

୨୦୦୯ ରୁ ୨୦୨୦ ମଧ୍ୟରେ ଦେଶରେ ୭୧୦ ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ଆର୍‌ଟିଆଇରେ ମିଳିଥିବା ତଥ୍ୟରେ ଏହା ଉଲ୍ଲେଖ କରାଯାଇଛି। ଏହା ସହିତ ୨୦୧୦ ରୁ ୨୦୨୦ ମଧ୍ୟରେ ଦେଶରେ ୧୩୦୦ ବନ୍ୟ ଜୀବଙ୍କ ମଧ୍ୟ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ବିଦ୍ୟୁତ୍‌ ଆଘାତ ଜନିତ ମୃତ୍ୟୁକୁ ରୋକିବା ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ୨୦୧୦ ସୁପାରିସ ଓ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ୨୦୧୯ ମସିହା ୧୮ ଜୁଲାଇରେ ଅନୁଷ୍ଠିତ ୫୪ତମ ବୈଠକର ସୁପାରିସଗୁଡ଼ିକୁ ଲାଗୁ କରିବା, ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟ, ହାତୀ ସଂରକ୍ଷଣ ଅଞ୍ଚଳ ତଥା ହାତୀ କରିଡରମାନଙ୍କରେ ହାଇ ଭୋଲଟେଜ୍‌ ଟ୍ରାନସମିସନ୍‌ ଲାଇନଗୁଡ଼ିକୁ ଇନସୁଲେସନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ନିବେଦନ କରିଛନ୍ତି।

ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରାନଯିବା ଫଳରେ ବିଦ୍ୟୁତ୍‌ ଆଘାତରେ ହାତୀମାନଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଆବେଦନରେ ଓଡ଼ିଶାରେ ବିଦ୍ୟୁତ୍‌ ଆଘାତରେ ଗତ ୧୧ ବର୍ଷରେ (୨୦୦୯-୧୦ ରୁ ୨୦୧୯-୨୦) ମଧ୍ୟରେ ୧୧୯ ହାତୀ ପ୍ରାଣ ହରାଇଥିବାର ଉଲ୍ଲେଖ କରାଯାଇଛି। ୨୦୧୮-୧୯ ରେ ୨୪ ଟି ହାତୀଙ୍କ ଏହି କାରଣରୁ ମୃତ୍ୟୁ ହୋଇଥିଲା। ୨୦୧୮ ଅକ୍ଟୋବରରେ ଓଡ଼ିଶାରେ ୧୧ କେଭି ବିଦ୍ୟୁତ୍‌ ଲାଇନ ସଂସ୍ପର୍ଶରେ ଆସି ୧୩ ଟିକିଆ ହାତୀ ପଲ ମଧ୍ୟରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର