ଜନମତ ସର୍ଭ: ମାଗଣାରେ ମିଳିଲେ ବି ଏକ ତୃତୀୟାଂଶ ଆମେରିକୀୟ କୋଭିଡ୍‌ ଟିକା ନେବେନି

ନ୍ୟୁୟର୍କ: ଆମେରିକାର ଖାଦ୍ୟ ଏବଂ ଭେଷଜ ପ୍ରଶାସନ(ଏଫ୍‌ଡିଏ) ଦ୍ବାରା ସୁପାରିସ ହୋଇ ମାଗଣାରେ ଉବଲବ୍‌ଧ ହେଲେ ବି ବର୍ତ୍ତମାନ ସ୍ଥିତିରେ ଏକ ତୃତୀୟାଂଶ ଆମେରିକୀୟ କୌଣସି ପ୍ରକାର କୋଭିଡ୍‌-୧୯ ଟିକା ନେବା ଲାଗି ମନା କରିଦେଇଥିବା ଏକ ଜନମତ ସର୍ବେକ୍ଷଣରୁ ଜଣାଯାଇଛି। ସେହିପରି କୌଣସି ସମ୍ଭାବ୍ୟ ଟିକା ପାଇଁ ମଧ୍ୟ ଆମେରିକାର ରାଜନୀତି ଜୋର ଧରିଛି। ଉକ୍ତ ମହାମାରୀ ପାଇଁ ଏକ ଫଳପ୍ରଦ ଟିକା ପାଇପାରିବେ ବୋଲି ୮୧ ପ୍ରତିଶତ ଡେମୋକ୍ରାଟ କହିଥିବା ବେଳେ ୪୭ ପ୍ରତିଶତ ରିପବ୍ଲିକାନ ଏଥିରେ ସହମତ ହୋଇଛନ୍ତି। ସେହିପରି ଦେଶରେ କୃଷ୍ଣକାୟମାନେ କୋଭିଡ୍‌ରେ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କ ଅପେକ୍ଷା ଶ୍ବେତାଙ୍ଗମାନେ ଟିକା ଗ୍ରହଣ କରିବାକୁ ବେଶୀ ପସନ୍ଦ କରିଥିବା ଏହି ସର୍ବେକ୍ଷଣର ତଥ୍ୟ କହୁଛି।

ସୂଚନ ଥାଉ କି, ମହାମାରୀ କୋଭିଡ୍‌-୧୯ର ଉପଦ୍ରବ ଆରମ୍ଭ ମାତ୍ରେ ଟ୍ରମ୍ପ୍‌ ପ୍ରଶାସନ ଏହାର ମୁକାବିଲା ପାଇଁ ୨୦୨୧ ଜାନୁଆରି ସୁଦ୍ଧା ଦେଶବାସୀଙ୍କୁ କୌଣସି ଏକ ଫଳପ୍ରଦ ଟିକାର ୩୦ କୋଟି ମାତ୍ରା ଉପଲବ୍ଧ କରାଇବା ଲକ୍ଷ୍ୟରେ ‘ଅପରେସନ ଵାର୍ପ ସ୍ପିଡ୍‌’ ନାମରେ ହଜାରେ କୋଟି ଡଲାର ବିନିଯୋଗ କରି ସାରିଛନ୍ତି। ଏଣେ ଆମେରିକା ସହ ଚୁକ୍ତି କରିଥିବା ତିନି ତିନିଟା ଅନ୍ତର୍ଜାତୀୟ ଭେଷଜ କମ୍ପାନି ଦ୍ବାରା ବିକଶିତ ପୃଥକ୍ ପୃଥକ୍ ଟିକାର ନୈଦାନିକ ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗତ ଶୁକ୍ରବାର ଦେଶର ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ଥୋନି ଫୌସି ଭିନ୍ନ କଥା କହିଛନ୍ତି। ସେହି ସବୁ ଟିକାର ଫଳପ୍ରଦତା ସମ୍ପର୍କରେ ସେ ନିଶ୍ଚିତ ନୁହେଁ ବୋଲି କହିବା ସହ କେବଳ ଟିକା ଦ୍ବାରା ଆରୋଗ୍ୟ ଲାଭ ସମ୍ଭବ ନୁହେଁ ବୋଲି ମଧ୍ୟ ଡା. ଫୌସି ଟିପ୍ପଣୀ କରିଥିଲେ। ଏଭଳି ସ୍ଥିତିରେ ଟିକା ନେବା ଲାଗି ଆମେରିକାବାସୀ ନାପସନ୍ଦ କରିବା ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର