ନୂଆଦିଲ୍ଲୀ : ରୋଗ ଜୀବାଣୁ (ଭେକ୍ଟର) ନିୟନ୍ତ୍ରଣ ଏବଂ ନିରାକରଣ ଅଭିଯାନ ପାଇଁ ‘ଜନ ଭାଗୀଦାରି’ ମହତ୍ତ୍ବପୂର୍ଣ୍ଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟ କହିଛନ୍ତି। ମନ୍ତ୍ରୀ ଶୁକ୍ରବାର ଦିନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମଶାବାହିତ ରୋଗ ଜୀବାଣୁର ନିରାକରଣ ଓ ନିୟନ୍ତ୍ରଣ ପାଇଁ ବର୍ଷାଋତୁ ପୂର୍ବରୁ ୧୩ ଅଧିକ ପ୍ରଭାବିତ ରାଜ୍ୟ ସହିତ ଏକ ସମୀକ୍ଷା ବୈଠକରେ ଏହା କହିଛନ୍ତି। ଏହି ରାଜ୍ୟଗୁଡ଼ିକ ଭିତରେ ଅଛନ୍ତି- ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା ଓ ତାମିଲନାଡ଼ୁ। ଏହି ଭର୍ଚୁଆଲ୍ ସମୀକ୍ଷା ବୈଠକରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ବିହାରର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେୟ, ତାମିଲନାଡ଼ୁର ସ୍ବାସ୍ଥ୍ୟମନ୍ତ୍ରୀ ଥିରୁ ଏମ୍ଏମ୍ ସୁବ୍ରମଣ୍ୟମ୍ ଏବଂ ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ସାମିଲ ହୋଇଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଯେ ରୋଗ ନିୟନ୍ତ୍ରଣ ଓ ଉନ୍ମୂଳନ ପାଇଁ ଅନ୍ୟ ବିଭାଗଗୁଡ଼ିକ ସହିତ ସହଯୋଗର ଆବଶ୍ୟକତା ରହିଛି। ଅନ୍ୟ ସମ୍ବନ୍ଧିତ ବିଭାଗ ଯଥା ଜନଜାତି କଲ୍ୟାଣ, ସହରୀ ବିକାଶ, ଗ୍ରାମୀଣ ବିକାଶ, ଜଳ ଏବଂ ସ୍ବଚ୍ଛତା, ପଶୁପାଳନ ଆଦି ସହିତ ମିଶି କାମ କରିବା ଦରକାର। ମନ୍ତ୍ରୀଙ୍କ ଆଗରେ ମ୍ୟାଲେରିଆ, ଡେଙ୍ଗୁ, ଚିକୁନଗୁନିଆ, ଜେଇ (ଜାପାନୀ ଏନ୍ସେଫାଲାଇଟିସ୍), ଲିମ୍ଫାଟିକ୍ ଫାଇଲେରିଆ ଏବଂ କଳାଜ୍ବର ପରି ବିଭିନ୍ନ ରୋଗକୁ ନେଇ ରାଜ୍ୟୱାରୀ ଚାପ ବିଷୟରେ ଅବଗତ କରାଯାଇଥିଲା। ଭାରତ ସରକାର ଏହି ରୋଗଗୁଡ଼ିକ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଚେଷ୍ଟାରତ ଅଛନ୍ତି ଏବଂ ୨୦୩୦ ସୁଦ୍ଧା ମ୍ୟାଲେରିଆ ଓ ଲିମ୍ଫାଟିକ୍ ଫାଇଲେରିଆ ଏବଂ ୨୦୨୩ ସୁଦ୍ଧା କଳାଜ୍ବରକୁ ସମାପ୍ତ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ। ଏହି ଭର୍ଚୁଆଲ୍ ସମୀକ୍ଷା ବୈଠକରେ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମିଶନ୍ ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଏଏସ୍ଓ ଏମ୍ଡି ଶ୍ରୀମତୀ ସିଲା ସିଂ, ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ହରମିତ୍ ସିଂ, ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡ. ଅତୁଲ ଗୋୟଲ୍ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/manasukh.jpg)