ସାଧାରଣ ପରିବହନ ବ୍ୟବସ୍ଥା ଖୁବ୍‌ଶୀଘ୍ର, ସବୁ ରାଜ୍ୟମାନଙ୍କୁ ପଠାଯିବ ଗାଇଡଲାଇନ୍‌

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁଁ ଗତମାସ ୨୪ ତାରିଖରୁ ସାଧାରଣ ପରିବହନ ବନ୍ଦ ରହିଛି। ଏହାକୁ ଖୁବ୍‌ଶୀଘ୍ର ସକ୍ରିୟ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଦ୍ବାରା ସଂକେତ ଦିଆଯାଇଛି।

ଦେଶରେ ସାଧାରଣ ପରିବହନ ବ୍ୟବସ୍ଥା ଆରମ୍ଭ କରାଯିବା ପୂର୍ବରୁ କେଉଁ ସବୁ ଦିଗ ଓ ସତର୍କତା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ସେ ନେଇ ସେଣ୍ଟାଲ ରୋଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଆରଆରଆଇ) ଦ୍ବାରା ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତ କରାଯାଇଥିବା ଗାଇଡଲାଇନ୍‌ରେ ସାର୍ବଜନିକ ପରିବହନ ସେବାରେ‌ ଯାତ୍ରୀମାନଙ୍କୁ ଟିକଟ୍‌ର ଅନ୍‌ଲାଇନ୍‌ ବୁକିଂର ସୁବିଧା ଉପଲବ୍ଧ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ଲକ୍‌ଡାଉନ୍‌ ପରେ ଯାତ୍ରୀମାନଙ୍କର ପର୍ଯ୍ୟାପ୍ତ ସାମାଜିକ ଦୂରତା‌ ଦ୍ବାରା କରୋନା ଭୂତାଣୁର ପ୍ରସାର ହୋଇପାରିବ ନାହିଁ ବୋଲି ସିଆରଆରଆଇର ଗାଇଡଲାଇନ୍‌ରେ କୁହାଯାଇଛି। ଗାଇଡଲାଇନ୍‌ରେ ସାର୍ବଜନିକ ବସ୍‌ ସେବା, ମେଟ୍ରୋ, ସିଟିବସ୍‌, ଫିଡରବସ୍‌ ସେବା ଇତ୍ୟାଦିରେ ଟିକଟ୍‌ ବୁକିଂ ଅନ୍‌ଲାଇନ୍‌ କରିବା ପାଇଁ କୁହାଯାଇଛି। ସିଆରଆରଆଇ ଦ୍ବାରା ବସ୍‌ ଷ୍ଟପ୍‌ ଓ ବସ୍‌ ପୋଲକୁ ମଧ୍ୟ ନ ଛୁଇଁବାକୁ ପରାମର୍ଶ ଦିଆଯାଇଛି। ବସ୍‌ରେ ଆଗରୁ ପ୍ରବେଶ ନ କରିବା ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର ସିଆରଆରଆଇର ସୁପାରିଶଗୁଡ଼ିକୁ ଲାଗୁ କରିବା ବିକଳ୍ପ ଉପରେ ବିଚାର କରୁଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ଗାଇଡ଼ଲାଇନ୍‌କୁ ସମସ୍ତ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟକୁ ପଠାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର