କୋଭିଡ୍‌ ଟିକା ପ୍ରମାଣପତ୍ରରେ ମୋଦୀଙ୍କ ଫଟୋ : ତୃଣମୂଳ କହିଲା; ବିଜେପିର ପ୍ରଚାର କୌଶଳ, ଆଚରଣବିଧିର ଉଲ୍ଲଂଘନ

କୋଲକାତା: ସଂପ୍ରତି ଚାରିଟି ରାଜ୍ୟ ସମେତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ବଳବତ୍ତର ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ କୋଭିଡ ଟିକା ପ୍ରମାଣପତ୍ରରେ ଛାପିବା ହେଉଛି ବିଜେପିର ପ୍ରଚାର କୌଶଳ। ତେବେ, ଏହା ଆଦର୍ଶ ଆଚରଣବିଧିର ଖୋଲା ଉଲ୍ଲଂଘନ କରୁଛି ବୋଲି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଅଭିଯୋଗ କରାଯାଇଛି।

ଟିଏମସି ରାଜ୍ୟସଭା ସାଂସଦ ତଥା ପୂର୍ବତନ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ମୁଖ୍ୟ ଶାନ୍ତନୁ ସେନ କହିଛନ୍ତି ଯେ ଯେଉଁମାନେ କୋଭିଡ ଟିକା ଗ୍ରହଣ କରିଛନ୍ତି ସେମାନଙ୍କୁ ଦିଆଯାଇଥିବା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରଖିବା ନିଷ୍ପତ୍ତି ବିଜେପିର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଟିକା ନେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ମାସ୍କ ପିନ୍ଧି ନଥିଲେ? ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ବିରୁଦ୍ଧ।

ଅତୀତରେ ଯେତେବେଳେ ଟୀକାକରଣ କରା ଯାଉଥିଲା, ସେତେବେଳେ କୌଣସି ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିଲା। ପୂର୍ବରୁ ମଧ୍ୟ ଆମେ ସମସ୍ତେ ଅନେକ ରୋଗ ବିରୁଦ୍ଧରେ ଟୀକାକରଣ କରିଛୁ ଏବଂ ଜନ୍ମରୁ ଆମେ ଟିକା ନେଇଛୁ। କିନ୍ତୁ ଆପଣ କ’ଣ କେବେ ଦେଖିଛନ୍ତି କି ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଅଛି ସେଠାରେ ଟୀକାକରଣ କରାଯାଉଛି? ବୋଲି ସେ ପଚାରିଛନ୍ତି।

ଏହାପୂର୍ବରୁ ଟିଏମସି ସାଂସଦ ଡେରେକ ଓବ୍ରିଏନ ଏକ ଟୁଇଟ୍‌ କରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ତାଙ୍କ ଦଳ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିବ। ବର୍ତ୍ତମାନ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଦ୍ୱାରା ଏହା ଆଚରଣ ବିଧିର ଉଲ୍ଲଂଘନ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର