ପୁଡ଼ୁଚେରୀ ଉପ-ରାଜ୍ୟପାଳ କିରଣ ବେଦୀଙ୍କୁ ହଟାଇବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ

ପୁଡ଼ୁଚେରୀ : ପୁଡ଼ୁଚେରୀ ଉପ-ରାଜ୍ୟପାଳ କିରଣ ବେଦୀ ଓ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି । ସ୍ଥିତି ଏତେ ବିଗିଡ଼ିଯାଇଛି ଯେ କିରଣଙ୍କୁ ହଟାଇବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୨୩ ତାରିଖରେ ରାଷ୍ଟ୍ରପତି ପୁଡ଼ୁଚେରୀ ଗସ୍ତରେ ଆସିବାବେଳେ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ ତାଙ୍କୁ ଏକ ସ୍ମାରକପତ୍ର ଦେଇ ଉପ-ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଉପ-ରାଜ୍ୟପାଳ ରାଜ୍ୟର ବିଭିନ୍ନ କ୍ୟାବିନେଟ ନିଷ୍ପତ୍ତିରେ ହସ୍ତକ୍ଷେପ କରିବା ସହ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଇଦେଉନାହାନ୍ତି । ଉପ-ରାଜ୍ୟପାଳ ନିଜେ ଏକ ସମାନ୍ତରାଳ ସରକାର ଚଳାଉଛନ୍ତି ଓ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି । କିରଣ ବେଦୀଙ୍କ ଏପରି ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ରାଜ୍ୟର ପ୍ରଗତିରେ ପ୍ରତିବନ୍ଧକ ହେଉଛି । ଏଣୁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି । ସେ ମଧ୍ୟ ପୁଡୁଚେରୀକୁ ସଂପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି । ୧୯୮୭ରୁ ଏପର୍ଯ୍ୟନ୍ତ ଅନେକ ଥର ଏ ନେଇ ପୁଡ଼ୁଚେରୀ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଥିବା ସେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି । ସେ ମଧ୍ୟ କେନ୍ଦ୍ର ସରକାରଙ୍କ ଏନଆରସିକୁ ସମାଲୋଚନା କରିଛନ୍ତି ।

ପୁଡ଼ୁଚେରୀ ଉପ-ରାଜ୍ୟପାଳ କିରଣ ବେଦୀ ଓ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀଙ୍କ ମଧ୍ୟରେ ମତଭେଦ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଥର ସେ କିରଣଙ୍କୁ ହଟାଇବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିସାରିଛନ୍ତି ।

ସମ୍ବନ୍ଧିତ ଖବର