ନୂଆଦିଲ୍ଲୀ: ପୁଡୁଚେରୀ ସରକାର ଏଣିକି ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ଘୋଷଣା ମୁତାବକ ମାସର ୩ଟି ଶୁକ୍ରବାରରେ ମହିଳାଙ୍କୁ ଦୁଇଘଣ୍ଟାର ସ୍ବତନ୍ତ୍ର ଛୁଟି ପୂଜାପାଠ କରିବାକୁ ମିଳିବ। ଶୁକ୍ରବାର ସକାଳ ୮ଟା ୪୫ରୁ ୧୦ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ସେମାନେ ନିଜ ଘରେ ପୂଜା କରି କାର୍ଯ୍ୟାଳୟ ଆସିପାରିବେ।  ଏଥିପାଇଁ କାର୍ଯ୍ୟାଳୟରେ ସେମାନଙ୍କୁ କୌଣସି ପ୍ରକାର ବାଧା ଦିଆଯିବ ନାହିଁ ବୋଲି କୁହାଯାଇଛି।

Advertisment

ପୁଡ଼ୁଚେରୀ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବ‌ା ଏହି ବିଜ୍ଞପ୍ତି ଅନୁଯାୟୀ, କେବଳ ମହିଳା କର୍ମଚାରୀ ଥିବା କାର୍ଯ୍ୟାଳୟରେ ଏହି ନିୟମ ଲାଗୁ ହୋଇଛି। ଏହି ଛୁଟି ସମୟରେ କାର୍ଯ୍ୟାଳୟରେ ଯେମିତି କାମ ପ୍ରଭାବିତ ନ ହେବ ସେଥିନିମନ୍ତେ ମଧ୍ୟ କର୍ମଚାରୀଙ୍କ ପାଇଁ କିଛି ସର୍ତ୍ତ ରହିଛି।

ଅର୍ଥାତ ଏହି ସ୍ବତନ୍ତ୍ର ଛୁଟିକୁ ପାଳି କରି ସମସ୍ତ ମହିଳା କର୍ମଚାରୀଙ୍କୁ ଦିଆଯିବ। ଏହି କ୍ରମରେ ଦେଖିବାକୁ ଗଲେ ହସ୍ପିଟାଲ, ଥାନା ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ନିୟୋଜିତ ଥିବା ମହିଳା କର୍ମଚାରୀଙ୍କୁ ଏହି ସ୍ବତନ୍ତ୍ର ଛୁଟିରୁ ବାଦ୍ ଦିଆଯାଇଛି।  ସେମାନେ ଏହି ଛୁଟିର କୌଣସି ପ୍ରକାର ଲାଭ ଉଠାଇ ପାରିବେ ନାହିଁ । ପୂର୍ବରୁ ସେମାନଙ୍କ କାର୍ଯ୍ୟସୂଚୀ ଯେମିତି ଥିଲା ସେଇ ଅନୁଯାୟୀ କାମ ଚାଲିବ।

ତେବେ ସରକାରଙ୍କ ଏହି ପଦକ୍ଷେପକୁ କିଛି କ୍ଷେତ୍ରରେ ବିରୋଧ ମଧ୍ୟ କରାଯାଉଛି। ବିରୋଧୀ ଡିଏମ୍‌କେ ସରକାରଙ୍କ ଏହି ସ୍ବତନ୍ତ୍ର ଛୁଟି ଘୋଷଣାକୁ ନେଇ ତୀବ୍ର ସମାଲୋଚନା କରିଛି।ବିରୋଧୀଙ୍କ ପକ୍ଷରୁ କୁହାଯାଇଛି, ସରକାରଙ୍କ ଏପରି ନିୟମ ଯୋଗୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସ୍ଥିତି ଦୁର୍ବଳ ହେବ। ସେମାନେ ନିଜ କାମ ଅପେକ୍ଷା ଘର ତଥା ପୂଜାପାଠ ପାଇଁ ଅଧିକ ମନଦେବେ। ଏହାଦ୍ବାରା ଉଚିତ ଅନୁପାତରେ କାମ ହେବ ନାହିଁ। ଯେମିତି ପୂର୍ବରୁ ହେଉଥିଲା।