ପୁଡୁଚେରୀ : ଭାରତରେ ୧୪୩ କୋଟି ଡୋଜ୍ କରୋନା ଟିକା ଦିଆଯାଇସାରିଥିଲେ ମଧ୍ୟ ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ କି ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । କେତେକ ଲୋକ ଅନ୍ଧବିଶ୍ବାସ ଯୋଗୁଁ ହେଉ କିମ୍ବା ଆଉ କିଛି ବିଭିନ୍ନ ଅଜବ କାରଣ ଦର୍ଶାଇ ଅଥବା ଇଂଜେକ୍ସନ ନେବା ଭୟରେ ଟିକା ନେଉନାହାନ୍ତି ।

Advertisment

ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ପୁଡୁଚେରୀରେ । ପୁଡୁଚେରୀରେ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି କରୋନା ଟିକା ଦିଆଯାଉଥିବାବେଳେ ମୁଥୁଭେଲ ନାମକ ଜଣେ ୩୯ ବର୍ଷୀୟ ଯୁବକ ସ୍ବାସ୍ଥ୍ୟକର୍ମୀଙ୍କୁ ଦେଖିଲେ ଲୁଚିପଡୁଛି । ନିକଟରେ ଜଣେ ସ୍ବାସ୍ଥ୍ୟକର୍ମୀ ତାକୁ ଖୋଜି ଖୋଜି ତା ଘରେ ପହଞ୍ଚିଥିଲେ । କିନ୍ତୁ ସେ ଆସୁଥିବା ଦେଖି ମୁଥୁ ଘର ନିକଟରେ ଥିବା ଏକ ଗଛକୁ ଚଢିଯାଇଥିଲା । ସ୍ବାସ୍ଥ୍ୟକର୍ମୀ କିମ୍ବା ଘର ଲୋକେ ଯେତେ ବୁଝାଇଲେ ବି ସେ ତଳକୁ ଓହ୍ଲାଇନଥିଲା । ସ୍ବାସ୍ଥ୍ୟକର୍ମୀ ସେଠାରୁ ଚାଲିଯିବା ପରେ ମୁଥୁ ତଳକୁ ଓହ୍ଲାଇଥିଲା ।

ଆଗରୁ ମଧ୍ୟ ଯେତେଥର ତାକୁ ଟିକା ଦେବାକୁ ଉଦ୍ୟମ କରାଯାଇଛି, ସେ ଲୁଚି ଯାଏ କିମ୍ବା ଗଛରେ ଡଢିଯାଏ । ଏଥର ବି ତାକୁ ଟିକା ଦେବାରେ ପ୍ରଶାସନ ବିଫଳ ହୋଇଛି ।

ତେବେ ସେ କାହିଁକି ଟିକା ନେଉନାହିଁ ? ତାହାର କହିବା କଥା ହେଲା ଟିକା ନେଲେ ସେ ତିନି ଚାରି ଦିନ ପର୍ଯ୍ୟନ୍ତ ମଦ ପିଇପାରିବ ନାହିଁ । ଏଣୁ ସେ ଟିକା ନେବ ନାହିଁ ।