ପୁଡୁଚେରି: ପୁଡୁଚେରି ବିଧାନସଭାରେ ଆଜି ଆସ୍ଥା ଭୋଟର ସମ୍ମୁଖୀନ ହେବା ଆଗରୁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ନିଜ ଇସ୍ତଫାପତ୍ରକୁ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନଙ୍କ ପାଖକୁ ପଠାଇ ଦେଇଛନ୍ତି। କଂଗ୍ରେସ ନେତୃତ୍ବଧୀନ ତାଙ୍କ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇ ସାରିଥିବାରୁ ଶେଷରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ଗୃହରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରିଲେନି ବୋଲି ବାଚସ୍ପତି ଭିପି ଶିବକୋଲୁନ୍ଧୁ ଘୋଷଣା କରିବା ସହ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି।
ଆସ୍ଥା ଭୋଟ ପୂର୍ବରୁ ବିଧାନସଭାକୁ ସମ୍ବୋଧିତ କରି ନାରାୟଣସ୍ବାମୀ ଅଭିଯୋଗ କରିଥିଲେ ଯେ ଭାରତୀୟ ଗାଣତନ୍ତ୍ରିକ ପ୍ରଣାଳୀକୁ ବିଜେପି ଅବାଟରେ ନେଇଯାଉଛି। ସମ୍ପ୍ରତି ପୁଡୁଚେରିରେ ଯାହା ଘଟୁଛି ତାହା ରାଜନୈତିକ ବେଶ୍ୟାବୃତ୍ତି ଛଡ଼ା ଅନ୍ୟ କିଛି ନୁହେଁ। ତେବେ ସତ୍ୟର ସର୍ବଦା ଜୟ ହେବ ବୋଲି ସେ କହିଛନ୍ତି। ସେହିପରି ତାଙ୍କ ସରକାରକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଓ ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀ ବିରୋଧୀ ଦଳ ସହ ହାତ ମିଳାଇଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ସୂଚନା ଥାଉ କି, ଗତ ମାସକ ଭିତରେ ଶାସକ ମେଣ୍ଟର ୬ ଜଣ ବିଧାୟକଙ୍କ ଇସ୍ତଫା ପରେ ନାରାୟଣସ୍ବାମୀଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇ ବସିଥିଲା।
ଆଜି ଆସ୍ଥାଭୋଟ ଲୋଡ଼ିବା ପାଇଁ ଉପରାଜ୍ୟପାଳ ଗତ ୧୮ ତାରିଖରେ ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ଆଉ ଦୁଇ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ ୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଶାସକ ମେଣ୍ଟର ସଭ୍ୟସଂଖ୍ୟା ୧୨କୁ ଖସି ଆସିଥିଲା। ଏବେ ନାରାୟଣସ୍ବାମୀଙ୍କ ଇସ୍ତଫା ପରେ ଦକ୍ଷିଣ ଭାରତରେ ଏକମାତ୍ର ଶାସନାଧୀନ ଇଲାକାକୁ କଂଗ୍ରେସ ହରାଇ ବସିଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରି ବିଧାନସଭା ପାଇଁ ଆସନ୍ତା ମେ ମାସରେ ନିର୍ବାଚନ ହେବାକୁ ଥିବା ବେଳେ ଏବେ ସେଠାରେ ରାଷ୍ଟ୍ରପତି ଶାସନ ପାଇଁ ଉପରାଜ୍ୟପାଳ ସୁପାରିସ କରୁଛନ୍ତି ନା ଏନ୍ଆର୍ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ମେଣ୍ଟକୁ କାମଚଳା ସରକାର ଭାବେ ଅବସ୍ଥାପିତ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/dfdhdhgdhdhgdhgdhgd54564654564654.jpg)