ଭାରତୀୟ ବଂଶୋଦ୍ଭଦ ଦୁଇ ସାମ୍ବାଦିକଙ୍କୁ ପୁଲିଜର୍‌ ପୁରସ୍କାର

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ଦୁଇ ଜଣ ସାମ୍ବାଦିକଙ୍କୁ ପୁଲିଜର୍‌ ପୁରସ୍କାର ପ୍ରଦାନ କରାଯାଇଛି। ମେଘା ରାଜଗୋପାଳନ ନାମ୍ନୀ ସାମ୍ବାଦିକାଙ୍କୁ ଅନୁସନ୍ଧାନମୂଳକ ସାମ୍ବାଦିକତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚୀନ ଏହାର ଜିନଜିଆଙ୍ଗ ଅଞ୍ଚଳରେ ଉଇଘର୍‌ ମୁସଲମାନଙ୍କ ପାଇଁ ଗୋପନ ଭାବେ ନିର୍ମାଣ କରୁଥିବା କାରାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ସଂପର୍କରେ ମେଘା ରିପୋର୍ଟି କରି ଚର୍ଚ୍ଚାକୁ ଆସିଛନ୍ତି। ସେ ବଜ୍‌ଫିଡ୍‌ ନ୍ୟୁଜ୍ ପାଇଁ କାମ କରୁଛନ୍ତି। ସେହିଭଳି ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ହେଲେ ନିଲ୍ ବେଦୀ। ତାମ୍ବା ବେ ଟାଇମ୍ସ ପାଇଁ କାମ କରୁଥିବା ନିଲ୍‌ଙ୍କୁ ସ୍ଥାନୀୟ ରିପୋର୍ଟିଂ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେ ମଧ୍ୟ ଏହି କାଗଜ ପାଇଁ ଅନୁସନ୍ଧାନମୂଳକ ରିପୋର୍ଟିଂ କରିଥାନ୍ତି।

ମେଘା ଅନ୍ତର୍ଜାତୀୟ ବର୍ଗରେ ଏହି ପୁରସ୍କାର ପାଇଛନ୍ତି। ଜିନଜିଆଙ୍ଗ୍ ସିରିଜ୍‌ରେ ସେ ଚୀନ ସଂପର୍କରେ କରିଥିବା ଖୁଲାସାକୁ ସ୍ବୀକୃତି ଦିଆଯାଇଛି। ଜିନ୍‌ଜିଆଙ୍ଗରେ ଚୀନ ହଜାର ହାଜର ମୁସଲମାନମାନଙ୍କୁ ଅଟକ ରଖିବା ପରେ ୨୦୧୭ରେ ମେଘା ସେଠାକୁ ପ୍ରଥମେ ଯାଇ ଏସବୁ ରିପୋର୍ଟିଂ କରିଥିଲେ। ସେ ସମୟରେ ଏଭଳି ଖବରକୁ ଚୀନ ଅସ୍ବୀକାର କରୁଥିବା ବଜ୍‌ଫିଡ ନ୍ୟୁଜ୍ ପକ୍ଷରୁ କୁହାଯାଇଥିଲା। ଏସବୁ ରିପୋର୍ଟ ପ୍ରକାଶ କରିବା ପରେ ଚୀନ ସରକାର ତାଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ଭିସା ପ୍ରତ୍ୟାହାର କରିଥିଲେ ଏବଂ ଚୀନରୁ ବିଦା କରିଦେଇଥିଲେ ବୋଲି କୁହାଯାଇଛି। ତେବେ ଚୀନର ଧମକରେ ସେ ଡରି ଯାଇ ନଥିଲେ। ଜିନଜିଆଙ୍ଗ ଘଟଣା ମାନବ ଅଧିକାର ହନନର ଜ୍ବଳନ୍ତ ଉଦାହରଣ ବୋଲି ବଜ୍‌ଫିଡ ନ୍ୟୁଜ୍‌ର ମୁଖ୍ୟ ସଂପାଦକ ମାର୍କ ସ୍କୁଫ୍ସ କହିଛନ୍ତି। ‌‌ ମେଘା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ପୁରସ୍କାର ପାଇବେ ବୋଲି ଆଶା ରଖି ନଥିଲେ। ତେଣୁ ଏହାର ସିଧା ପ୍ରସାରଣକୁ ମଧ୍ୟ ସେ ଦେଖି ନଥିବା କହିଛନ୍ତି। ତେବେ ମାକ୍ସ ସ୍ପୁଫ୍ସ ଯେତେବେଳେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଲ୍ କଲ୍ କଲେ ସେତେବେଳେ ସେ ଏହା ଜାଣିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର