ପୁନଶ୍ଚ ପୁଲଓ୍ଵାମା ! ଯବାନ ସହିଦ; ଦିବାଲୋକରେ ଗୁଳିମାରି ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ: ପୁଲଓ୍ଵାମା ଠାରେ ଆଜି (ବୁଧବାର) ଅପରାହ୍ଣରେ ସ୍ପଷ୍ଟ ଦିବାଲୋକରେ ପୁଣିଥରେ ଆତଙ୍କବାଦୀମାନେ ଜଣେ ଭାରତୀୟ ଯବାନଙ୍କୁ ଗୁଳି କରି ସହିଦ କରିବା ସହ ତାଙ୍କ ରକ୍ତରେ ଖେଳିଛନ୍ତି ହୋଲି। ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ହୋଇଥିବା ସଂପୃକ୍ତ ଯବାନଙ୍କୁ ଚିକିତ୍ସା ପାଇଁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲେ ସୁଦ୍ଧା ତାଙ୍କ ଜୀବନକୁ ରକ୍ଷା କରାଯାଇ ପାରି ନାହିଁ। ଏହି ଘଟଣା ପରେ ସେନା ଓ ଏସ୍‌ଓଜି ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ପିଙ୍ଗଲାନା ଗ୍ରାମରେ ନିଜ ଘରେ ସଂପୃକ୍ତ ସେନା ଯବାନ ଥିବା ବେଳେ ଆଜି ଅପରାହ୍ଣରେ ଆତଙ୍କବାଦୀମାନେ ତାଙ୍କୁ ଘର ବାହାରକୁ ଡାକି ଆଣି ଗୁଳିମାରି ଶହୀଦ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪ ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲାର ମାଷ୍ଟରମାଇଣ୍ଡ ତଥା ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ମୁଦାସିର୍‌ ଅହମ୍ମଦ ଖାନ୍‌କୁ ଗତ ମାର୍ଚ୍ଚ ୧୧ ତାରିଖରେ ଗୁଳିକରି ନିପାତ କରିବା ଘଟଣାରେ ସଂପୃକ୍ତ ଯବାନ ଜଣକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସଂପୃକ୍ତ ଯବାନଙ୍କ ଗୁଇନ୍ଦା ସୂତ୍ର ଆଧାରରେ କୁଖ୍ୟାତ ଆତଙ୍କବାଦୀ ମୁଦାସିର୍‌ ଅହମ୍ମଦ ଖାନ୍‌ ଆତ୍ମଗୋପନ କରିଥିବା ଆଡ୍ଡା ଉପରେ ସୁରକ୍ଷା ବାହିନୀର ଯବାନମାନେ ଗତ ମାର୍ଚ୍ଚ ୧୦ ଓ ୧୧ ତାରିଖ ଦୁଇଦିନ ଧରି ଚଢ଼ାଉ କରିବା ପରେ ମୁଦାସିର୍‌ ଅହମ୍ମଦ ଖାନ୍‌ ସମେତ ଅନ୍ୟ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଜେଇଏମ୍‌ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର