ପୁଲୱାମା ବର୍ଷପୂର୍ତ୍ତି : ଭାରତକୁ ଦୋହଲାଇବାକୁ ପାକ୍‌ ଷଡ଼ଯନ୍ତ୍ର

୭ କିଲୋ ଆଇଇଡି ଜବତ, ୪ ଗିରଫ
୪ଟି ସ୍ଥାନରେ ଆଇଇଡି ଖଂଜିବାକୁ ଯୋଜନା ହୋଇଥିଲା
ଦିଲ୍ଲୀରେ ବି ଆକ୍ରମଣ ଯୋଜନା ହୋଇଥିଲା

ନୂଆଦିଲ୍ଳୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ବର୍ଷ ପୂର୍ତ୍ତିରେ ଆଜି ଭାରତକୁ ପୁଣି ଥରେ ଦୋହଲାଇ ଦେବାକୁ ଚାହୁଥିଲା ପାକିସ୍ତାନ। ଏଥିପାଇଁ ପାକିସ୍ତାନୀ ସେନା, ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଆତଙ୍କବାଦୀ ସଂଗଠନମାନେ ମିଳିତ ଭାବେ ବହୁତ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ଜମ୍ମୁ କାଶ୍ମୀରରେ ୪ଟି ସ୍ଥାନରେ ଆକ୍ରମଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ଏବଂ ଏଥିପାଇଁ ଆତଙ୍କବାଦୀ ମଧ୍ୟ ନିୟୋଜିତ ହୋଇସାରିଥିଲେ। ତେବେ ସଠିକ୍ ଗୁଇନ୍ଦା ତଥ୍ୟ ଆଧାରରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି। ଗତ ରାତିରେ ଗୁଇନ୍ଦା ସୂତ୍ରରୁ ଖବର ପାଇ ଜମ୍ମୁ ପୁଲିସ ହାଇ ଆଲର୍ଟରେ ରହିଥିଲା ଏବଂ ସୋହେଲ ନାମକ ଜଣେ ଯୁବକକୁ ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ରୁ ଗିରଫ କରାଯାଇଥିଲା। ତା’ଠାରୁ ପ୍ରାୟ ୭ କିଲୋ ଶକ୍ତିଶାଳୀ ବିସ୍ଫୋରକ (ଆଇଇଡି) ଜବତ କରାଯିବା ସହ ଜେରାରୁ ପୁଲିସକୁ ଅନେକ ଚାଂଚଲ୍ୟକର ତଥ୍ୟ ମିଳିଥିଲା।

ଗିରଫ ଯୁବକ ନର୍ସିଂ ଛାତ୍ର ବୋଲି ନିଜର ପରିଚୟ ଦେଇଛି ଏବଂ ଆଇଇଡି ଖଂଜିବା ପାଇଁ ତାକୁ ପାକିସ୍ତାନର ଅଲ ବଦର ତଂଜିମ ସଂଗଠନ ମେସେଜ ପଠାଇଥିଲା ବୋଲି କହିଛି। ୪ଟି ସ୍ଥାନରେ ଆଇଇଡି ଲଗାଇବା ପାଇଁ ତାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋହେଲ ଏହି ଆଇଇଡି ଲଗାଇବା ପରେ ଜମ୍ମୁରୁ ଶ୍ରୀନଗର ଯାଇଥାନ୍ତା ଏବଂ ସେଠାରେ ଅଲ ବଦର ତଂଜିମର ଆତଙ୍କବାଦୀ ଅତର ସକିଲ ଖାନ୍‌ ସହ ମିଶି ପରବର୍ତ୍ତୀ ଆକ୍ରମଣ ଯୋଜନା କରିଥାନ୍ତେ। ଚଣ୍ଡିଗଡ଼ରେ ରହୁଥିବା କାଜି ୱସିମ ନାମକ ଆଉ ଜଣେ ଯୁବକ ଏ ସଂପର୍କରେ ସବୁକିଛି ଜାଣିଥିଲା ଏବଂ ସେ ଏଥିରେ ସାମିଲ ଥିବା ଜଣାପଡ଼ିବାରୁ ତାକୁ ମଧ୍ୟ ଗିରଫ କରାଯାଇଛି। ଏହା ବ୍ୟତୀତ ଏହି ଆକ୍ରମଣର ସଂଚାଳନ ଦାୟିତ୍ବ ନେଇଥିବା ଆବଦି ନବୀ ନାମକ ଜଣେ ଯୁବକକୁ ମଧ୍ୟ ଗିରଫ କରାଯାଇଛି । ଅନ୍ୟ ଏକ ସୁରାକ୍‌ ଆଧାରରେ ପୁଲିସ ସାମ୍ବା ସେକ୍ଟରରୁ ୧୫ଟି ଛୋଟ ଆଇଇଡି ମଧ୍ୟ ଜବତ କରିଥିବା ଜମ୍ମୁ ପୁଲିସ ଆଇଜି ମୁକେଶ ସିଂହ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆତଙ୍କବାଦୀ ସଂଗଠନ ଟିଆର୍‌ଏଫ୍‌ (ଦ ରେଜିଷ୍ଟାନ୍ସ ଫ୍ରଣ୍ଟ)ର ଶୀର୍ଷ ନେତା ଜହୁର ଅହମଦ ରାଠୋରକୁ ଶନିବାର ଦିନ ସାମ୍ବା ସେକ୍ଟର ବ୍ରାହ୍ମାନାରୁ ଗିରଫ କରାଯାଇଥିଲା। ପୁଲୱାମା ବର୍ଷପୂର୍ତ୍ତିରେ ଜମ୍ମୁ କାଶ୍ମୀରରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହେଉଥିବା ସଂପର୍କରେ ଜେରା ସମୟରେ ଜଣାପଡ଼ିଥିଲା। ସେ ଗତବର୍ଷ ବିଜେପିର ତିନି ଜଣ ନେତା ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲା। ଗତ ୬ ତାରିଖରେ ଲସ୍କର-ଏ-ମୁସ୍ତଫାର କମାଣ୍ଡର ହିଦାୟତୁଲ୍ଲା ମଲିକ ଓରଫ ହସନୈନକୁ କୁଞ୍ଜୱାନୀରୁ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ମିଳିଥିବା ଏକ ଭିଡିଓ ରେକର୍ଡିଂରୁ ଦିଲ୍ଲୀରେ ମଧ୍ୟ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଜମ୍ମୁ କାଶ୍ମୀର ପୁଲିସ ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି।

୨୦୧୯ ମସିହା ଫେବ୍ରୁଆରି ୧୪ରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆତଙ୍କବାଦୀମାନେ ପୁଲୱାମାରେ ସିଆରପିଏଫ୍‌ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ୪୦ ଜଣ ଜବାନ ସହିଦ ହୋଇଥିଲେ ଏବଂ ଅନେକ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର