ପୁଲ୍‌ଓ୍ଵାମା ଆକ୍ରମଣ: ଆତ୍ମଘାତୀ ବିସ୍ଫୋରଣକାରୀ ସହ ବିସ୍ଫୋରକ ଭର୍ତ୍ତି କାର୍‌ ଚଳାଇ ନେଇଥିବା ଡ୍ରାଇଭର୍‌ ଗିରଫ

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ଭର୍ତ୍ତି କାର୍‌ର ଚାଳକଙ୍କୁ ଶୁକ୍ରବାର ଦିନ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ଗିରଫ କରିଛି। ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ସେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଆଦିଲ ଅହମଦ୍‌ ଦର୍‌ଙ୍କୁ ‘ଆଇଇଡି’ ଭର୍ତ୍ତି କାର୍‌ରେ ବସାଇ ବିସ୍ଫୋରଣ ସ୍ଥଳ ପାଖକୁ ନେଇଯାଇଥିଲା।

ଗିରଫ ଡ୍ରାଇଭର୍‌ ହେଉଛନ୍ତି ପୁଲ୍‌ଓ୍ଵାମା ଅନ୍ତର୍ଗତ କାକପୋରା ବାସିନ୍ଦା ୨୨ ବର୍ଷିୟ ଶକିର୍‌ ବଶିର୍‌ ମାଗ୍ରେ। ସେ ଆତଙ୍କବାଦୀ ସଂଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ ସହ ସମ୍ପୃକ୍ତ। ପୁଲ୍‌ଓ୍ଵାମା ଘଟଣାରେ ଗିରଫ ହୋଇଥିବା ପ୍ରଥମ ଅଭିଯୁକ୍ତ ହେଉଛନ୍ତି ମାଗ୍ରେ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଆତ୍ମଘାତୀ ଆକ୍ରମଣରେ ଆଦିଲ ନିହତ ହୋଇଥିଲା। ଏହା ପରେ ୨୦୧୯ ମାର୍ଚ ୧୧ରୁ ୨୦୨୦ ଜାନୁଆରି ୨୫ ତାରିଖ ମଧ୍ୟରେ ନିରାପତ୍ତା ବଳ ୫ଟି ପୃଥକ୍‌ ଅଭିଯାନରେ ଅନ୍ୟ ପାଞ୍ଚଜଣ ଅଭିଯୁକ୍ତଙ୍କୁ ନିପାତ କରିଥିଲେ।
ଗିରଫ ହୋଇଥିବା ମାଗ୍ରେଙ୍କର ପୁଲ୍‌ଓ୍ଵାମା ଆକ୍ରମଣସ୍ଥଳର ଅଦୂରରେ ଗୋଟାଏ ଆସବାବ୍‌ପତ୍ର ଦୋକାନ ଅଛି। ଆକ୍ରମଣ ଦିନ ସେ ଆଦିଲ ଦର୍‌ଙ୍କ ସହ ଥିଲା ବୋଲି ସ୍ୱୀକାର କରିଛନ୍ତି।

Image Source: Zee News

ଆଦିଲ ଉତ୍ତମ ଡ୍ରାଇଭର୍‌ ହୋଇ ନ ଥିବାରୁ ସେଦିନ ଆକ୍ରମଣରେ ବ୍ୟବହୃତ ‘ମାରୁତି ଇକୋ’ କାର୍‌କୁ ମାଗ୍ରେ ଘଟଣାସ୍ଥଳ ଆଡ଼କୁ ଚଳାଇ ନେଇଥିଲେ। ଏହି ଆତ୍ମଘାତୀ ଅଭିଯାନ ନିମନ୍ତେ ‘ଜୈଶ୍‌’ କେବଳ ଆଦିଲ୍‌ଙ୍କୁ ଚୟନ କରିଥିବାରୁ ଆକମ୍ରଣସ୍ଥଳ ଠାରୁ ପ୍ରାୟ ୫୦୦ ମିଟର ଦୂରରୁ ମାଗ୍ରେ କାର୍‌ରୁ ଓହ୍ଲାଇ ପଡ଼ିଥିଲେ।

୨୦୧୮ ଶେଷ ଆଡୁ ଫେବ୍ରୁଆରି ୨୦୧୯ ଯାଏଁ ମାଗ୍ରେ ଆଦିଲ୍‌ ଦର ଏବଂ ତାଙ୍କର ପାକିସ୍ତାନୀ ସହଯୋଗୀ ମହମ୍ମଦ ଉମର ଫାରୁକ୍‌ଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ। ଏହାସହ ‘ଆଇଇଡି’ ତିଆରି କରିବାରେ ବି ମାଗ୍ରେ ସେମାନଙ୍କୁ ସାହାଯ୍ୟ କରିଥିଲେ।

ଶୁକ୍ରବାର ଦିନ ମାଗ୍ରେଙ୍କୁ ଆଇଏନ୍‌ଏର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇ ୧୫ ଦିନ ପାଇଁ ‘ଏନ୍‌ଆଇଏ’ ହାଜତକୁ ନିଆଯାଇଛି।

ସମ୍ବନ୍ଧିତ ଖବର