୧୭ ଘଣ୍ଟା ଏନ୍‌କାଉଣ୍ଟର : ପୁଲୱାମା ମାଷ୍ଟରମାଇଣ୍ଡ୍ ନିପାତ

ମେଜରଙ୍କ ସ‌େମତ ୫ ଯବାନ ସହିଦ, ୩ ଆତଙ୍କବାଦୀ ନିହତ,ଏକେ-୪୭ ଜବତ

ଶ୍ରୀନଗର : ପୁଲଵାମା ଆତଙ୍କବାଦୀ ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛନ୍ତି ଭାରତୀୟ ସୁରକ୍ଷା ବାହିନୀ। ଆକ୍ରମଣର ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଥିବା ଜୈସ-ଇ-ମହମ୍ମଦର ଶୀର୍ଷ କମାଣ୍ଡର ଗାଜି ଅବଦୁଲ ରସିଦ ଓରଫ କାମରାନକୁ ଆଜି ନିପାତ କରିଛନ୍ତି। ତାହା ସହିତ ହିଲାଲ୍ ଅହମଦ ଏବଂ ଅନ୍ୟ ଜଣେ ଅଚିହ୍ନା ସ୍ଥାନୀୟ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ତେବେ ୧୭ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନ ବେଳେ ଜଣେ ମେଜର ଏବଂ ୪ ଜଣ ଯବାନ ସହିଦ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଏହି ଅପରେସନ ବେଳେ ଜଣେ ବ୍ରିଗେଡିୟର, ଜଣେ କ୍ୟା‌ପଟେନ୍ ଏବଂ ଜଣେ ପୁଲିସ ଡିଆଇଜି ମଧ୍ୟ ଆହତ ହୋଇଛନ୍ତି।

ନିହତ ଆତଙ୍କବାଦୀ ଲୁଚି ରହିଥିବା କୋଠାରୁ ପିସ୍ତଲ, ଏକେ-୪୭ ସମେତ ବିପୁଳ ଗୁଳିଗୋଳା ଜବତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଅନ୍ୟ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସୁରକ୍ଷା କର୍ମୀମାନେ ତଲାସି ଅଭିଯାନ ଜାରି ରଖିଥିବା ଖବର ମିଳିଛି।

ଗତ ୧୪ ତାରିଖର ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ସାରା ଦକ୍ଷିଣ କଶ୍ମୀରକୁ ଘେରାବନ୍ଦୀ କରି ରଖାଯାଇଥିଲା। ତେବେ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ଏହି ଆତଙ୍କବାଦୀମାନେ ପୁଲଵାମାର ପିଙ୍ଗିଲାନା ଅଞ୍ଚଳର ଏକ କୋଠାରେ ଆତ୍ମଗୋପନ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଫଳରେ ଭାରତୀୟ ସେନା, ସିଆରପିଏଫ୍ ଏବଂ ଏସ୍ଓଜି ଯବାନମାନେ ଆତଙ୍କବାଦୀମାନଙ୍କୁ ଧରିବା ଲାଗି ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରୁ ତଲାସି ଅଭିଯାନ ଆରମ୍ଭ କରିଥିଲେ। ସୋମବାର ବଡ଼ି ଭୋର ବେଳେ ଯବାନମାନେ ଯୋଜନା ପ୍ରସ୍ତୁତ କରି ଉକ୍ତ କୋଠାକୁ ଘେରିବା ଲାଗି ଗଲାବେଳେ ଆତଙ୍କବାଦୀମାନେ ଯବାନମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଆତଙ୍କବାଦୀଙ୍କ ଗୁଳିରେ ମେଜର ବିଭୂତି ଶଙ୍କର ଧୋନ୍ଦିଆଲ୍, ମୁଖ୍ୟ କନେଷ୍ଟବଳ ସବେ ରାମ୍, ସିପାହୀ ଅଜୟ କୁମାର ଏବଂ ସିପାହୀ ହରିସିଂହ ସହିଦ ହୋଇଥିଲେ। ସେହିପରି ସିପାହୀ ଗୁଲଜାର ମହମ୍ମଦ ଗୁରୁତର ଆହତ ହୋଇଥିଲେ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଦୁଇ ଜଣ ସ୍ଥାନୀୟ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୀର୍ଘ ୧୭ ଘଣ୍ଟା ଧରି ଚାଲିଥିବା ଯବାନମାନଙ୍କ ଏହି ଘେରାବନ୍ଦୀ ପରେ ଆତଙ୍କବାଦୀ ଲୁଚି ରହିଥିବା ଉକ୍ତ କୋଠାକୁ ଉଡ଼ାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣର ମାଷ୍ଟରମ‌ାଇଣ୍ଡ ‌କୁହାଯାଉଥିବା କାମରାନ ଥିଲା ଜୈସେ ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଘନିଷ୍ଠ ସହ‌େଯାଗୀ। ସେ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନ‌ରେ‌ ସାମିଲ ହେବା ପାଇଁ ଅଭିଯାନ ଚଳାଇଥିଲା। ସେହିଭଳି ନିହତ ଅନ୍ୟତମ ଆତଙ୍କବାଦୀ ହିଲାଲ ଅହମ୍ମଦ ବୋମା ତିଆରି କରିବାରେ ମାହିର ଥିଲା। ସେମାନେ ଏହି ଘରେ ଲୁଚି ରହିଥିବାର ନିର୍ଦିଷ୍ଟ ଭାବେ ଗୁଇନ୍ଦା ରିପେ‌ାର୍ଟ ମିଳିଥିଲା।

ସମ୍ବନ୍ଧିତ ଖବର