ପୁଲଓ୍ଵାମା ଆକ୍ରମଣରୁ ସର୍ଜିକାଲ୍‌ ଷ୍ଟାଇକ୍‌-୨: ଭାତରୁ ଆରମ୍ଭ କରି ଶେଷରେ ହାତରେ ମାରିଲା ଭାରତ !

ନୂଆଦିଲ୍ଳୀ: ଗତ ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଭାରତ ପାକିସ୍ତାନକୁ ଦେଇ ସାରିଛି। ମଙ୍ଗଳବାର ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଆକାଶମାର୍ଗରୁ ବୋମା ପକାଇ ପ୍ରାୟ ୩୦୦ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୦ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାକିସ୍ତାନକୁ ତାହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଯାହାର ଫଳ ଆଜି ଦେଖିବାକୁ ମିଳିଛି। ଫେବ୍ରୁଆରି ୧୪ରେ ହୋଇଥିଲା ପୁଲଓ୍ଵାମା ଆକ୍ରମଣ। ଫେବ୍ରୁଆରି ୨୬ରେ ତାହାର ପ୍ରତିଶୋଧ ନେଇଛି ଭାରତ। ତେବେ, ଚାଲନ୍ତୁ ଜାଣିବା କେମିତି କଟିଛି ଏହି ୧୨ ଦିନ।

: ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଆତ୍ମଘାତୀ ଆକ୍ରମଣ ଘଟାଇବା ପରେ ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ।

: ପୁଲଓ୍ଵାମା ଆକ୍ରମଣର ୧୦୦ ଘଣ୍ଟା ଭିତରେ ଭାରତୀୟ ସେନା ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ କାମରାନ ଗାଜିକୁ ହତ୍ୟା କରିଥିଲା। ଆକ୍ରମଣ ପରେ ପରେ ହିଁ ଭାରତୀୟ ସେନା କାମରାନକୁ ଖୋଜିବା ଆରମ୍ଭ କରିଥିଲା। ଆକ୍ରମଣର ୪ ଦିନ ଭିତରେ ତାକୁ ହତ୍ୟା କରିଥିଲା।

: ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ ମଙ୍ଗଳବାର ଅସ୍ୱୀକାର କରିଥିଲେ। ଭାରତ ଆକ୍ରମଣ କଲେ ପାକିସ୍ତାନ ବି ଓଲଟା ଜବାବ ଦେବ ବୋଲି ଇମ୍ରାନ ଖାନ କହିଥିଲେ।

: ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନଠାରୁ ‘ମୋଷ୍ଟ୍‍ ଫେବରାଇଟ୍ ନେସନ୍‌’ ମାନ୍ୟତା ଫେରାଇ ନେଇଥିଲା।

: ଏହି ଅକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ( ୟୁଏନ୍‌ଏସ୍‌ସି) ତୀବ୍ର ନିନ୍ଦା କରିଥିଲା।

: ସରକାରୀ ସୁରକ୍ଷା ଭିତରେ ରହି ଆତଙ୍କବାଦୀଙ୍କ ଭାଷା କହୁଥିବା ହୁରିୟତ କଠୋରପନ୍ଥୀର ଅଧ୍ୟକ୍ଷ ସେୟଦ୍‌ ଅଲ୍ଳୀ ଶାହା ଗିଲାନିଙ୍କ ସମେତ ୧୮ ହୁରିୟତ ନେତାଙ୍କ ସୁରକ୍ଷା ଜମ୍ମୁ-କଶ୍ମୀର ପ୍ରଶାସନ ଫେରାଇ ନେଇଥିଲା। ଏହା ସହ ରାଜ୍ୟର ୧୫୫ ରାଜନୈତିକ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷା ବି ଫେରାଇ ନିଆଯାଇଥିଲା।

: କେନ୍ଦ୍ର ମନ୍ତ୍ରୀ ନିତିନି ଗଡ଼କରି ନଦୀ ଜଳକୁ ପାକିସ୍ତାନକୁ ନ ଦେବା ପାଇଁ ଘୋଷଣା କରିଥିଲେ। କେବଳ ପାଣି ନୁହେଁ, ଫଳ ଓ ଟମାଟୋ ରପ୍ତାନି ଉପରେ ଭାରତ ସରକାର କଟକଣା ଲଗାଇଥିଲେ।

: ଭାରତର ପ୍ରତିଶୋଧ ପରାୟଣତା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆଉ ଏକ ସୁଯୋଗ ଦିଆଯାଉ ବୋଲି କହିଥିଲେ।

: ଫେବ୍ରୁଆରି ୨୫ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ୪ ସେନା ଅଧିକାରୀଙ୍କ ସହ ଦିଲ୍ଳୀରେ ଏକ ଜରୁରୀ ବୈଠକ ଡକାଇଥିଲେ।

: ଶେଷରେ ଫେବ୍ରୁଆରି ୨୫-୨୬ ମଧ୍ୟ ରାତ୍ରରେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ପାର୍‌ କରି ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ବଂସ କରିଛି।

ସମ୍ବନ୍ଧିତ ଖବର