ପୁଲୱାମା ଆକ୍ରମଣ:ଭାରତକୁ ଇମ୍ରାନ୍‌ଙ୍କ ଧମକ

ଆକ୍ରମଣ କଲେ କଡ଼ା ଜବାବ ଦେବୁ ବିନା ପ୍ରମାଣରେ ଦୋଷାରୋପ କରୁଛି ଭାରତ

ଇସ୍‌ଲାମାବାଦ: ପୁଲୱାମାରେ ସିଆର୍‌ପିଏଫ୍‌ ଉପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦର ବର୍ବର ଆକ୍ରମଣର ୫ ଦିନ ପରେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଖୋଲା ଧମକ ଦେଇଛନ୍ତି। ଭାରତ ବିନା ପ୍ରମାଣରେ ଆମ ଉପରେ ଦୋଷାରୋପ କରୁଛି ଏବଂ ଏହାକୁ କେନ୍ଦ୍ର କରି ଆକ୍ରମଣ କଲେ ଆମେ ଏହାର କଡ଼ା ଜବାବ ଦେବୁ ଏବଂ ଏହା ଭୟଙ୍କର ରୂପ ନେବ ବୋଲି ଇମ୍ରାନ କହିଛନ୍ତି। ତେବେ, ଆତଙ୍କବାଦ ପ୍ରସଙ୍ଗରେ ଆମେ ଭାରତ ସହିତ କଥାବାର୍ତ୍ତା କରିବାକୁ ଚାହୁଛୁ ଏବଂ ଭାରତ ବଳିଷ୍ଠ ପ୍ରମାଣ ଦେ‌ଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଛନ୍ତି। ଇମ୍ରାନ କହିଛନ୍ତି ଯେ ଭାରତ ସର୍ବଦା ଆତଙ୍କବାଦ ନେଇ ଆଲୋଚନା କରିବାକୁ କହୁଛି ଏବଂ ଆମେ ଏବେ ଏଥିପାଇଁ ତୟାର ରହିଛୁ। ନୂଆ ପାକିସ୍ତାନରେ ଆତଙ୍କବାଦର ସ୍ଥାନ ନାହିଁ ଏବଂ ପାକିସ୍ତାନ ସବୁ ପ୍ରକାର ତଦନ୍ତ ପାଇଁ ତୟାର ବୋଲି ସେ କହିଛନ୍ତି। ଯୁଦ୍ଧ କରିବା ସହଜ, କିନ୍ତୁ ଯୁଦ୍ଧ ଆରମ୍ଭ ହେଲେ ଏହାକୁ ଶେଷ କରିବା ସହଜ ହେବ ନାହିଁ ବୋଲି ସେ ଧମକ ଦେଇଛନ୍ତି।
ସାଉଦି କ୍ରାଉନ୍‌ ପ୍ରିନ୍‌ସଙ୍କ ପାକିସ୍ତାନ ଗସ୍ତ ଯୋଗୁଁ ସେ ଓ ତାଙ୍କ ସରକାର ବ୍ୟସ୍ତ ରହିଥିବାରୁ ପୁଲୱାମା ଆତଙ୍କବାଦୀ କାଣ୍ଡ ନେଇ ବୟାନ ରଖିପାରି ନଥିଲେ ବୋଲି ଇମ୍ରାନ କହିଛନ୍ତି। ପୁଲୱାମା ଆକ୍ରମଣରେ କୌଣସି ବି ପାକିସ୍ତାନୀ ସଂପୃକ୍ତ ଥିଲେ ଆମେ କାର୍ଯ୍ୟାନୁଷ୍ଠାନ କରିବୁ ବୋଲି ସେ କହିଛନ୍ତି। ଆତଙ୍କବାଦୀ ଆକ୍ରମଣରେ ଆମର ୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଦର୍ଶାଇ ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦର ସବୁଠାରୁ ବଡ଼ ଶିକାର ହୋଇଛି।

ଜାତିସଂଘର ଶରଣ ପଶିଲା ପାକିସ୍ତାନ
ପୁଲୱାମା ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍‌ ନିଜକୁ ଦାୟୀ କରିବା ସହ ଆକ୍ରମଣକାରୀର ଫଟୋ ଜାରି କରିବା ଓ ଅନ୍ୟ ତଥ୍ୟ ପ୍ରଘଟ କରିବା ଯୋଗୁଁ ଏବେ ପାକିସ୍ତାନର ମୁଖା ଖୋଲିଯାଇଛି। ପାକ୍‌ ସେନା ସମର୍ଥନରେ ଚାଲିଥିବା ଜୈସ୍‌ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ବିରୋଧରେ ଭାରତ ବିଭିନ୍ନ ରାଷ୍ଟ୍ରକୁ ଦସ୍ତାବିଜ ପ୍ରଦାନ କରିବା ପରେ ପାକିସ୍ତାନ ଛାନିଆରେ ଏବେ ଜାତିସଂଘର ଶରଣ ପଶିଛି। ପୁଲୱାମା ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ସ୍ବାଭାବିକ କରବା ପାଇଁ ଜାତିସଂଘ ହସ୍ତକ୍ଷେପ କରିବାକୁ ପାକିସ୍ତାନ ଗୁହାରି କରିଛି। ସୂଚନାଯୋଗ୍ୟ ଗତ ୧୪ ତାରିଖ ଦିନ ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୪୦ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର