ପୁଲୱାମା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅବନ୍ତିପୁରାର ବନ୍ଦିଆ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂତ୍ରରୁ ଖବର ପାଇବାପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ‌୍ ଅପରେସନ୍‌ କରିଥିଲେ। ଏହି ସମୟରେ ଆତଙ୍କବାଦୀମା‌ନେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁଳି ଚାଳନା କରିବା ଫଳରେ ଏହାର ପାଲଟା ଜବାବ ଦେଇ ସୁରକ୍ଷାକର୍ମୀ ମଧ୍ୟ ପ୍ରବଳ ଗୁଳିମାଡ଼ କରିଥି‌ଲେ । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୨ ଆତଙ୍କବାଦୀଙ୍କ ମୃତ‌ଦେହ ଉଦ୍ଧାର ହୋଇଛି ଏବଂ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ତେବେ ଏମାନେ କେଉଁ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ତାହା ଜଣାପଡ଼ିନାହିଁ।

ଏଲ୍‌ଓସି ନିକଟରୁ ଗିରଫ ହେଲେ ୪ ଆତଙ୍କବାଦୀ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରୁ ଆଜି ୪ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଉତ୍ତର କଶ୍ମୀରର ଏଲ୍‌ଓସି ଦେଇ ସେମାନେ ପାକିସ୍ତାନ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଗିରଫ କରିଛନ୍ତି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ଦକ୍ଷିଣ କଶ୍ମୀର ବାସିନ୍ଦା ବୋଲି ଜଣାପଡ଼ିଛି। ବାରମୁଳା ଜିଲ୍ଲାର ବୋନିୟାର ଅଞ୍ଚଳରେ ସେମାନଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଯାଇ ସେମାନେ ଆତଙ୍କବାଦୀ ଶିବିରରେ ତାଲିମ ନେଇଥାନ୍ତେ ଏବଂ ପୁଣିଥରେ କଶ୍ମୀର ଫେରିଥାନ୍ତେ। ୪ ଆତଙ୍କବାଦୀଙ୍କୁ ଏବେ ଜେରା କରାଯାଉଛି।

ସମ୍ବନ୍ଧିତ ଖବର