ଶ୍ରୀନଗର : ଜମ୍ମୁ କଶ୍ମୀର ପୁଲଓ୍ଵାମା ଜିଲ୍ଲା ତ୍ରାଲ ନିକଟସ୍ଥ ଲାମ୍‌ ଜଙ୍ଗଲରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବାବେଳେ ୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସେପଟେ ଏହି ଅପରେସନ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ଆଗକୁ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ମୃତ ଆତଙ୍କବାଦୀମାନେ ଜୈଶ-ଇ-ମହମ୍ମଦ ସଂଗଠନର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ଏକେ-୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ୍‌ ଓ ବିପୁଳ ପରିମାଣର ଗୁଳିଗୋଳା ଜବତ କରିଛି।
ମିଳିଥିବା ଖବର ମୁତାବକ, ଲାମ୍‌ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜମ୍ମୁ-କଶ୍ମୀର ପୁଲିସ୍‌, ସିଆର୍‌ପିଏଫ୍‌ ଏବଂ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିବା ଫଳରେ ସେନା ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଉଭୟ ପକ୍ଷର ଘମାଘୋଟ ଗୁଳିବିନିମୟରେ ଆଜି ସେନାର ଜଣେ ଯବାନ ଏବଂ ଜଣେ ପୁଲିସ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଶ୍ରୀନଗର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସହିଦ ୨ ଯବାନ ହେଲେ ୪୨ ରାଷ୍ଟ୍ରୀୟ ରାଇଫଲ୍ସର ଅଜୟ କୁମାର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର କନେଷ୍ଟବଳ ଲତିଫ ଗୁଜ୍ଜର। ଉଲ୍ଳେଖଯୋଗ୍ୟ, ଚଳିତମାସରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ସୋପିଆନ୍‌ ସେକ୍ଟରରେ ଭାରତୀୟ ସେନାର ଏନ୍‌କାଉଣ୍ଟରରେ ଗୋଟିଏ ଦିନରେ ୧୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ୩ଜଣ ଯବାନ ସହିଦ ହୋଇଥିଲେ ଏବଂ ୪ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ଭାରତର କଡ଼ା ଜବାବ୍‌: ୫ ପାକ୍‌ ରେଞ୍ଜର୍ସ ନିହତ

Advertisment

ଶ୍ରୀନଗର : ଲଗାତାର ୪ଦିନ ହେବ ନିୟନ୍ତ୍ରଣ ସୀମରେଖା(ଏଲ୍‌ଓସି)ରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମା ଅଶାନ୍ତ ରଖିଥିବା ପାକିସ୍ତାନକୁ ଆଜି ଭାରତୀୟ ସେନା କଡ଼ା ଜବାବ୍‌ ଦେଇଛି। ଭାରତୀୟ ସେନାର ପ୍ରତିଆକ୍ରମଣରେ ଆଜି ୫ଜଣ ପାକ୍‌ ରେଞ୍ଜର୍ସ ନିପାତ ହୋଇଛନ୍ତି। ଏହାସହିତ ପାକିସ୍ତାନର ୩ଟି ସେନା ଶିବିର ଓ ଗୋଟିଏ ବଙ୍କର ମଧ୍ୟ ଧ୍ୱଂସ କରିଦିଆଯାଇଛି। ମିଳିଥିବା ଖବର ମୁତାବକ, ଗତକାଲି ଜମ୍ମୁ-କଶ୍ମୀର କ୍ରିଷ୍ଣାଘାଟି ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ଆଗୁଆ ପୋଷ୍ଟ ଗୁଡ଼ିକୁ ଆକ୍ରମଣ କରିଥିଲା। ସ୍ୱୟଂଚାଳିତ ବନ୍ଧୁକ ଯୋଗେ ହୋଇଥିବା ଏହି ଆକ୍ରମଣରେ ପୁଞ୍ଚ ସେକ୍ଟରର ଦୁଇଟି ସେନା ଶିବିର ସମାନ୍ୟ କ୍ଷତିଗ୍ରସ୍ତ ହେବା ପରେ ଭାରତ ଏହାର ପ୍ରତିଶୋଧ ନେଇଛି। ଏତଦ୍‌ବ୍ୟତୀତ ପୁଞ୍ଚ ସେକ୍ଟରକୁ ଲାଗି ଥିବା ଗ୍ରାମ ଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନୀ ସେନା ବାରମ୍ବାର ପ୍ରବଳ ମୋର୍ଟାର ମାଡ଼ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ମେନ୍ଧାର ସେକ୍ଟରରେ ମଧ୍ୟ ପାକ୍‌ ସେନା ଅତର୍କିତଭାବେ ଗୁଳିମାଡ଼ କରିବା ପରେ ଭାରତୀୟ ସେନା ଏହାର ଜବାବ ଦେଇଥିଲା। ଏଥିରେ ଜଣେ ପାକ୍‌ ରେଞ୍ଜର୍ସର ମୃତ୍ୟୁ ହେବା ସହ ପାକ୍‌ ସେନାର ଦୁଇଟି ପୋଷ୍ଟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ପୁନର୍ବାର ଆଜି ସକାଳୁ ପାକ୍‌ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରି ଆକ୍ରମଣ କରିବାରୁ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ପ୍ରତିଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଥିଲା। ଜଣେ ସେନା ଅଧିକାରୀଙ୍କ ସୂଚନା ମୁତାବକ, ପୁଞ୍ଚ ସେକ୍ଟରରେ ଆଜି ସକାଳୁ ପାକ୍‌ ସେନାର ଆକ୍ରମଣକୁ ପ୍ରତିହତ କରି ବିଏସ୍‌ଏଫ୍‌ ମଧ୍ୟ ଗୁଳିବର୍ଷା କରିଥିଲା।