ପୁଲଓ୍ଵାମାରେ ସଂଘର୍ଷ: ଯୁବକ ନିହତ

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ପୁଲିସ କର୍ମୀ ସମେତ ୫ ଗୁରୁତର

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲଓ୍ଵାମାରେ ନୌପୁରା-ଲିଟେର୍‌ ଗ୍ରାମରେ ଆଜି ସ୍ଥାନୀୟ ପଥର ଆକ୍ରମଣକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି। ସୁରକ୍ଷା ବାହିନୀର ଗାଡ଼ିଗୁଡ଼ିକୁ ଶତାଧିକ ପଥର ଫିଙ୍ଗାଳି ଘେରିଯାଇ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ସେନା କାର୍ଯ୍ୟାନୁଷ୍ଠାନରେ ଜଣେ ସ୍ଥାନୀୟ ଯୁବକର ମୃତ୍ୟୁ ଘଟିଛି ଏବଂ ୧୦ରୁ ଅଧିକ ଆହତ ହୋଇଛନ୍ତି। ପଥର ମାଡ଼ରେ ମଧ୍ୟ ସିଆର୍‌ପିଏଫ୍‌ର ୭ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଆଉ ଏକ ଘଟଣାରେ ଶ୍ରୀନଗର ସହରର କରନ୍‌ ନଗର ଅଂଚଳରେ ଆଜି ଅପରାହ୍ନରେ ପୁଲିସ ବାହିନୀ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ପୁଲିସ କର୍ମୀଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛି। ଆହତମାନଙ୍କୁ ଏସ୍‌ଏଚ୍‌ଏମ୍‌ଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ପୁଲିସ କର୍ମୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜନଗହଳିପୂର୍ଣ୍ଣ ଅଂଚଳରେ ଆତଙ୍କବାଦୀଙ୍କ ଦ୍ୱାରା ଏଭଳି କାଣ୍ଡ ଆତଙ୍କ ସୃଷ୍ଟି କରିଛି। ଗତକାଲି ଏଠାରେ ରାଇଜିଂ କଶ୍ମୀରର ମୁଖ୍ୟ ସଂପାଦକ ସୁଜାତ ବୁଖାରିଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ବେଳେ ଆଜି ପୁଣି ଏକ ଆକ୍ରମଣ କରି ସୁରକ୍ଷା ବାହିନୀକୁ ଚ୍ୟାଲେଂଜ କରିଛନ୍ତି।

ସମ୍ବନ୍ଧିତ ଖବର