ପାକ୍‌ ବିରୋଧରେ ଭାରତର କୂଟନୈତିକ ଅଭିଯାନ

୩୦ ରାଷ୍ଟ୍ରଙ୍କ ସହ ଆଲୋଚନା, ଭାରତ ପ୍ରତି ପ୍ରମୁଖ ରାଷ୍ଟ୍ରଙ୍କ ସମର୍ଥନ

ନୂଆଦିଲ୍ଲୀ : ଦକ୍ଷିଣ କଶ୍ମୀରର ପୁଲୱାମାରେ ଭୟାନକ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବାପରେ ପାକିସ୍ତାନକୁ ଏକଘରିଆ କରିବା ପାଇଁ ଭାରତ ବଡ଼ ଧରଣର କୂଟନୈତିକ ଅଭିଯାନ ଆରମ୍ଭ କରିଛି। ଭାରତର ବୈଦେଶିକ ସଚିବ ଏ ବାବଦରେ ୩୦ରୁ ଅଧିକ ରାଷ୍ଟ୍ରଦୂତଙ୍କୁ ସାକ୍ଷାତ କରି ପରିସ୍ଥିତି ସଂପର୍କରେ ଅବଗତ କରିବା ସହ ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇର ଘୃଣ୍ୟ କାର୍ଯ୍ୟକଳାପ ସଂପର୍କରେ ତଥ୍ୟ ରଖିଛନ୍ତି। ଗତକାଲି ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ୍‌ ଫେଭର୍ଡ ନେସନ୍‌(ଏମ୍‌ଏଫ୍‌ଏନ୍‌)’ ବା ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର ମାନ୍ୟତାକୁ ଭାରତ ପ୍ରତ୍ୟାହାର କରିନେଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ ବୈଠକରେ ପାକିସ୍ତାନକୁ ଦୀର୍ଘ ୨୨ ବର୍ଷ ଧରି ଦିଆଯାଇଥିବା ମାନ୍ୟତା ଶେଷ କରିବାକୁ ନିଷ୍ପତ୍ତି ନିଆଯିବା ସହ ପାକିସ୍ତାନ ବିରୋଧରେ ଯଥାସମ୍ଭବ କଟକଣା ଲାଗୁ କରିବାକୁ ସୁପାରିସ ହୋଇଥିଲା। ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତର ହାଇକମିସନର ଅଜୟ ବିସାରିଆଙ୍କୁ ଫେରାଇ ଅଣାଯିବା ସହ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ଚାଲିଛି। ପାକିସ୍ତାନ ହାଇକମିସନରଙ୍କୁ ଭାରତ ସମନ କରି ଜୋର୍‌ଦାର ପ୍ରତିବାଦ ଜଣାଇଛି। ଆମେରିକା, ରୁଷିଆ, ଫ୍ରାନ୍ସ, ଜର୍ମାନୀ, ଜାପାନ, ଅଷ୍ଟ୍ରେଲିଆ, ଇସ୍ରାଏଲ ଏବଂ ବ୍ରିଟେନ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ପ୍ରତି ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି। ତେବେ ଚୀନ୍‌ ଏ କ୍ଷେତ୍ରରେ ଦୋମୁହାଁ ନୀତି ଧରିଛି। ପାକିସ୍ତାନ ଭାରତର ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀ ମସୁଦ ଆଝାର, ହାଫିଜ୍‌ ସୟିଦ ଏବଂ ଦାଉଦ୍‌ ଇବ୍ରାହିମ୍‌କୁ ନିଜ ସୁରକ୍ଷାରେ ରଖିଥିବା ଏବଂ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମସ୍ତ ପ୍ରୋତ୍ସାହନ ଦେଉଥିବା ସଂକ୍ରାନ୍ତ ପ୍ରମାଣ ଭାରତ ବିଭିନ୍ନ ଅନ୍ତର୍ଜାତୀୟ ମଂଚରେ ଉପସ୍ଥାପନ କରିଛି।

ପାକିସ୍ତାନ ସେନା ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଛତ୍ରଛାୟାରେ ଚାଲିଥିବା ଜୈସ-ଏ-ମହମ୍ମଦ, ଲସ୍କର ଏ ତୋଏବା ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର କାରନାମା ନେଇ ବିଶ୍ବ ସମୁଦାୟକୁ ଭଲ ଭାବେ ଅବଗତ କରାଯିବା ସହ ଭାରତ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇରେ ଉପନୀତ ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ଏ ଦିଗରେ ଭାରତ କେତେକ ଜରୁରୀ କୂଟନୈତିକ ପଦକ୍ଷେପ ଆରମ୍ଭ କରିବା ପରେ ପାକିସ୍ତାନର ଚିନ୍ତା ବଢ଼ିଯାଇଛି। ପାକିସ୍ତାନ ଗଣମାଧ୍ୟମ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ସ୍ବାଧୀନତା ସଂଗ୍ରାମ ଭାବେ ଆଖ୍ୟା ଦେଇ ରିପୋର୍ଟ ପ୍ରକାଶ କରିବାରେ ଲାଗିଛି।

ପାକିସ୍ତାନର ଏମ୍‌ଏଫ୍‌ଏନ୍ ମାନ୍ୟତା ପ୍ରତ୍ୟାହାର ସହ ଅନ୍ୟ କୂଟନୈତିକ ସଂପର୍କ ମଧ୍ୟ ଛିନ୍ନ କରିବାକୁ ଯୋଜନା ଆରମ୍ଭ ହୋଇଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ବିଶ୍ବ ଦରବାରରେ ନିନ୍ଦିତ ହୋଇଥିବା ପାକିସ୍ତାନ ଏବେ କେବଳ ଚୀନ୍‌ ଆର୍ଥିକ ସହାୟତାକୁ ଭରସା କରି ଚାଲିଛି। ଆଜି ଭାରତ ପାକିସ୍ତାନ ସହ କାରବାର କ୍ଷେତ୍ରରେ ଟିକସ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଖୁବ୍‌ଶୀଘ୍ର ଆଉ କେତେକ କଠୋର ପଦକ୍ଷେପ ନେଇ ଘୋଷଣା କରାଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର