ଜୟପୁର: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଜସ୍ଥାନର ସିଆରପିଏଫ ଯବାନମାନଙ୍କ ପରିବାରର ପ୍ରତିବାଦ ବୁଧବାର ଦଶମ ଦିନରେ ପ୍ରବେଶ କରିଛି। କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବାସଭବନ ବାହାରେ ଆଜି ବିକ୍ଷୋଭକାରୀମାନେ ଧାରଣା ଦେଇଛନ୍ତି।

Advertisment

୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ବିଧବାମାନଙ୍କୁ ଭେଟିଛନ୍ତି ରାଜସ୍ଥାନ ମନ୍ତ୍ରୀ ପ୍ରତାପ ସିଂହ ଖାଚରିଆବାସ, ରାଜ୍ୟ ମନ୍ତ୍ରୀ ଶକୁନ୍ତଳା ରାୱତ ଏବଂ ବିଜେପି ସାଂସଦ କିରୋଡି ଲାଲ ମୀନା। ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋରଙ୍କ ନେତୃତ୍ୱରେ ବିଜେପି ନେତାଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଆଜି ରାଜ୍ୟପାଳଙ୍କୁ ଭେଟି ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଦାବି କରିବାର କାର୍ଯ୍ୟକ୍ରମ ରହିଛି।

ଧାରଣାରେ ବସିଥିବା ବିଧବାମାନେ ଅଭିଯୋଗ କରିଛନ୍ତି ଯେ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି ତେଣୁ ସେମାନଙ୍କୁ ଏ ନେଇ ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ଦାବି କରଛନ୍ତି। ଏବଂ ସେମାନଙ୍କ ସହ ଅସଦାଚରଣ କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗତକାଲି ଟ୍ଵିଟ୍‌ କରି ବିରୋଧୀ ବିଜେପିକୁ ଟାର୍ଗେଟ କରି ଏହି ପ୍ରସଙ୍ଗରେ ରାଜନୈତିକ ଫାଇଦା ଉଠାଇଥିବାରୁ ସମାଲୋଚନା କରିଥିଲେ। ଗେହଲଟ ଟ୍ଵିଟ୍‌ରେ ଲେଖିଛନ୍ତି, ସହିଦ ଏବଂ ସେମାନଙ୍କ ପରିବାରକୁ ସର୍ବୋଚ୍ଚ ସମ୍ମାନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ରାଜସ୍ଥାନର ପ୍ରତ୍ୟେକ ନାଗରିକ ସହିଦମାନଙ୍କୁ ସମ୍ମାନ ଦେବା ପାଇଁ ନିଜର କର୍ତ୍ତବ୍ୟ କରନ୍ତି, କିନ୍ତୁ କିଛି ବିଜେପି ନେତା ରାଜନୈତିକ ଫାଇଦା ଉଠାଇବା ପାଇଁ ଆମର ବୀର ସହିଦଙ୍କ ବିଧବାମାନଙ୍କ ନାମ ବ୍ୟବହାର କରି ସେମାନଙ୍କୁ ଅପମାନିତ କରୁଛନ୍ତି। ରାଜସ୍ଥାନରେ କେବେ ବି ଏପରି ପରମ୍ପରା ନଥିଲା। ମୁଁ ଏହାକୁ ନିନ୍ଦା କରୁଛି।

ଟ୍ଵିଟରରେ ସେୟାର କରାଯାଇଥିବା ଏକ ସ୍ୱତନ୍ତ୍ର ନୋଟରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟରେ ତାଙ୍କ ସରକାର ସମୟରେ ସହିଦଙ୍କ ସମ୍ପର୍କୀୟଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

କାର୍ଗିଲ ପ୍ୟାକେଜରେ ସହିଦଙ୍କ ପତ୍ନୀଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ୨୫ ବିଘା ଜମି କିମ୍ବା ହାଉସିଂ ବୋର୍ଡ ଘର (ଜମି କିମ୍ବା ଘର ନନେଲେ ଅତିରିକ୍ତ ୨୫ ଲକ୍ଷ ଟଙ୍କା), ମାସିକ ଆୟ ଯୋଜନାରେ ସହିଦଙ୍କ ପିତାମାତାଙ୍କୁ ୫ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍‌, ସହିଦଙ୍କ ନାମରେ ଏକ ସାର୍ବଜନୀନ ସ୍ଥାନ ଏବଂ ସହିଦଙ୍କ ପତ୍ନୀ କିମ୍ବା ପୁଅ/ଝିଅଙ୍କୁ ଚାକିରି ଦିଆଯିବ।

ଉଲ୍ଲେଖଯୋଗ୍ୟ, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ରାଜସ୍ଥାନର ସିଆରପିଏଫ ଯବାନମାନଙ୍କ ବିଧବାମାନେ ଜୟପୁରରେ ଅନେକ ଦିନ ଧରି ଧାରଣାରେ ବସିଛନ୍ତି ଏବଂ ସେମାନଙ୍କ ଦାବିନେଇ ସେମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ପୁଲିସ ସେମାନଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।