ବ୍ରିଟେନ୍ ରାଣୀଙ୍କ କାର୍ କିଣିଲେ ପୁନାୱାଲା

ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଣୀ ସ୍ବର୍ଗତଃ ଏଲିଜାବେଥ୍‌ ଦ୍ବିତୀୟଙ୍କ ଏକ ରେଞ୍ଜ ରୋଭର କାର୍‌କୁ ପୁନାୱାଲା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ୟୋହାନ୍ ପୁନାୱାଲା କିଣିଛନ୍ତି। ନିଲାମ ଜରିଆରେ‌ ସେହି ରେଞ୍ଜ ରୋଭର ବିକ୍ରି ଲାଗି ଉପଲବ୍ଧ ହୋଇଥିଲା। କାର୍‌ର ନିଲାମ ମୂଲ୍ୟ ୨ କୋଟି ୨୫ ଲକ୍ଷ ଟଙ୍କା ଥିଲା। କିନ୍ତୁ ପୁନାୱାଲା ତାହାକୁ ନିଲାମ ବାହାରେ କିଣିବାକୁ ପସନ୍ଦ କରିଥିଲେ। ସେଥିପାଇଁ ସେ କେତେ ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନି। କାର୍‌କୁ କିଣିବା ପରେ ଖୁସି ବ୍ୟକ୍ତ କରି ପୁନାୱାଲା କହିଛନ୍ତି ଯେ ବ୍ରିଟେନ ଇତିହାସର ଏକ ଅଂଶକୁ ହାସଲ କରିବା ନିଶ୍ଚିତ ଖୁସିର ବିଷୟ। ମୁଁ ମୋ ପତ୍ନୀ ଓ ପିଲାମାନଙ୍କ ସହ କଥାବାର୍ତ୍ତା ହୋଇ ଗାଡ଼ିଟିକୁ କିଣିଛି। ସାଧାରଣତଃ ରାଜ ପରିବାର ସେବାରୁ ବାହାରିବା ପରେ ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍ ବଦଳିଯାଇଥାଏ। କିନ୍ତୁ ପୁନାୱାଲା କିଣିଥିବା ଗାଡ଼ିର ନମ୍ବର ପ୍ଲେଟ୍ ପୂର୍ବଭଳି ‘ଓୟୁ୧୬ ଏକ୍ସଭିଏଚ୍‌’ ରହିଛି। ପୁନାୱାଲା ହେଉଛନ୍ତି ଭିଣ୍ଟେଜ୍‌ କାର୍‌ର ଜଣେ ବଡ଼ ପ୍ରଶଂସକ। ବହୁ ମହାରାଜା, ନୱାବ, ଶେଖ୍‌, ରାଷ୍ଟ୍ରପତି ଏବଂ ପୋପ୍ ଆଦି ବ୍ୟବହାର କରିଥିବା କାର୍‌ଗୁଡ଼ିକୁ ସେ କିଣିଛନ୍ତି। ତାଙ୍କ ପାଖରେ ଭିଣ୍ଟେଜ କାର୍‌ର ବିସ୍ତୃତ ବର୍ଗମାଳା ରହିଛି।

ସମ୍ବନ୍ଧିତ ଖବର