ନୂଆଦିଲ୍ଲୀ: ଅନେକ ସମୟରେ ବିଭିନ୍ନ କାରଣକୁ ନେଇ ଗନ୍ତବ୍ୟସ୍ଥଳରେ ବିମାନ ବିଳମ୍ବରେ ପହଂଚିଥାନ୍ତି | ଯେଉଁଥିପାଇଁ ଯାତ୍ରୀଙ୍କୁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡିଥାଏ | ତେବେ ବିଳମ୍ବ ନେଇ ବିମାନ କମ୍ପାନୀମାନେ ବିଭିନ୍ନ କାରଣ ଦର୍ଶାଇଥାନ୍ତି | ବିମାନ କମ୍ପାନୀମାନେ ପାଗ ଅନୁକୂଳ ନଥିବା ସହ ବିମାନବନ୍ଦର ପକ୍ଷରୁ କ୍ଲିୟରାନ୍ସ ମିଳିନଥିବା ଭଳି କଥା କହିଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱରେ ଏମିତି କିଛି ବିମାନସେବା ପ୍ରଦାନ କରୁଥିବା କମ୍ପାନୀ ରହିଛନ୍ତି ଯେଉଁମାନେ ନିଜର ସଠିକ ସମୟକୁ ନେଇ ସବୁବେଳେ ଆଗରେ ରହିଥାନ୍ତି | ଅର୍ଥାତ ଏହି ବିମାନ କମ୍ପାନୀର ବିମାନଗୁଡିକ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତି, ଯେଉଁଥିପାଇଁ ଯାତ୍ରୀମାନେ ଅସୁବିଧାରେ ପଡନ୍ତି ନାହିଁ | ରିପୋର୍ଟ ମୁତାବକ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚୁଥିବା ବିମାନ କମ୍ପାନୀଙ୍କ ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛି ବ୍ରାଜିଲ୍ ଏୟାରଲାଇନ୍ସ |
ଏହାର ସମୟାନୁବର୍ତ୍ତିତା ମୂଲ୍ୟ ୮୮.୯୩ ପ୍ରତିଶତ ରହିଛି | ୱାର୍ଲଡ ଅଫ ଷ୍ଟାଟିଟିକସ ରିପୋର୍ଟ ଅନୁଯାୟୀ ବ୍ରାଜିଲ ଏୟାରଲାଇନ୍ସ ତଳକୁ ଜାପାନର ଦୁଇଟି ଏୟାରଲାଇନ୍ସ ଅଲ୍ ନିପନ୍ ଏବଂ ଜାପାନ ଏୟାରଲାଇନ୍ସ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି, ଯାହାର ସମୟାନୁବର୍ତ୍ତିତା ହାର ଯଥାକ୍ରମେ ୮୮.୬୧ ପ୍ରତିଶତ ଏବଂ ୮୮ ପ୍ରତିଶତ ରହିଛି । ସେହିପରି ଲାଟିନ୍ ଆମେରିକାର ସବୁଠାରୁ ବଡ ବିମାନସେବା ଯୋଗାଉଥିବା କମ୍ପାନୀ ଲତାମର ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୬.୩୧ ପ୍ରତିଶତ ଥିବାବେଳେ ବେଳେ ଏହାର ମୋଟ କର୍ମଚାରୀଙ୍କ ସଂଖ୍ୟା ହେଉଛି ୪୩ ହଜାର |
୨୦୧୮ରେ ଏହାର ମୋଟ ସମ୍ପତ୍ତି ୧୭.୫୬୬ ବିଲିୟନ ଡ଼ଲାର୍ ଥିଲା। ସେହିପରି ଆମେରିକାର ଡେଲଟା ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୩.୬୩ ପ୍ରତିଶତ ରହିଛି। ଏହାର ପ୍ରତିଦିନ ୫୪୦୦ ରୁ ଅଧିକ ବିମାନ ଚଳାଚଳ କରିଥାଏ | ଦୁବାଇର ଏମିରେଟ୍ସର ସମୟାନୁବର୍ତ୍ତିତା ହାର ୮୧.୩୦ ପ୍ରତିଶତ ଏବଂ ୟୁନାଇଟେଡ୍ ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୦.୪୬ ପ୍ରତିଶତ ରହିଛି। ।