ପୁଣେ:  ପୁଣେ ବସ୍‌ ଦୁଷ୍କର୍ମ ମାମଲାରେ  ପୁଲିସ ଆଜି ଅଭିଯୁକ୍ତ ଦତ୍ତାତ୍ରୟ ରାମଦାସ ଗଡ଼େକୁ ଗିରଫ କରିଛି।   ୭୫ ଘଣ୍ଟାର ସର୍ଚ୍ଚ ଅପରେସନ୍‌ ପରେ ଗଡ଼େ ପୁଲିସ ହାତରେ ଧରା ପଡ଼ିଛି। ଗଡ଼େକୁ ଗତରାତି ୨ଟାରେ ପୁଲିସ ପୁଣେ ଆଣିବାପରେ  ଏସ୍‌ଆ‌ଇଟି ତାକୁ ଗିରଫ କରିଛି। ଏହାପରେ ଗଡ଼େର ମେଡିକାଲ ଟେଷ୍ଟ୍‌ କରାଯାଇଛି ଏବଂ ଆଜି ତାକୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ସ୍ବାରଗେଟ୍‌ ବସ୍‌ଷ୍ଟାଣ୍ଡ୍‌ରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ବସ୍‌ ମଧ୍ୟରେ ଦୁଷ୍କର୍ମ କରିବାପରେ ସେ ନିଜ ଗାଁ ଗୁନଟକୁ ଖସି ପଳାଇଥିଲା। ବିଶାଳ ଆଖୁ କ୍ଷେତରେ ଲୁଚିଥିବା ଅଭିଯୁକ୍ତକୁ ଖୋଜିବାପାଇଁ ପୁଲିସ ‌ଡ୍ରୋନ ମୁତୟନ କରିଥିବା ବେଳେ ଶତାଧିକ ପୁଲିସ କର୍ମୀ ଏଥିରେ ନିୟୋଜିତ ହୋଇଥିଲେ।  ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଗତରାତିରେ ଆଖୁ କ୍ଷେତରେ ସର୍ଚ୍ଚ ଅପରେସନ୍‌ ବନ୍ଦ କରାଯାଇଥିଲା। କିନ୍ତୁ ଏହାପରେ ଗଡ଼େ ତା’ର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ପାଣି ଏବଂ ଖାଦ୍ୟ ମାଗିଥିଲା।  

Advertisment

ପୁଲିସ ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚିବା ବେଳକୁ ସେ ଖସି ପଳାଇଥିଲା।  ତେବେ ଉକ୍ତ ପରିବାର ତୁରନ୍ତ ପୁଲିସରେ ଖବର ‌ଦେଇଥିଲେ ଏବଂ ପୁଲିସ ଏହାପରେ ସର୍ଚ୍ଚ ଅପରେସନ୍‌ ଜୋରଦାର କରିଥିଲା।  ତେବେ ଗଡ଼େ ସେଠାରୁ ଯିବା ପୂର୍ବରୁ କହିଥିଲା ଯେ ସେ  ବହୁତ ବଡ଼ ଭୁଲ୍‌ କରିଛି ଏବଂ ସେ ପୁଲିସରେ ଆତ୍ମସମର୍ପଣ କରିବ। ପୁଲିସ  ସନ୍ଧାନୀ କୁକୁର ସାହାଯ୍ୟରେ ଗଡ଼େକୁ ତା’ ସମ୍ପର୍କୀୟଙ୍କ ଘର ନିକଟରେ ଥିବା ଏକ କେନାଲ ନିକଟସ୍ଥ ଆଖୁ କ୍ଷେତରୁ ପାଇଥିଲା।  ଏହାପରେ ଗ୍ରାମବାସୀ ମଧ୍ୟ  କେନାଲ ନିକଟରେ ପହଞ୍ଚିଥିଲେ ଏବଂ ସେଠାରେ ଗଡ଼େକୁ ଚିହ୍ନଟ କରାଯାଇଥିଲା।  ତାକୁ ସେଠାରୁ ସିଧାସଳଖ ପୁଣେ ପଠାଯାଇଥିଲା ଏବଂ ସେଠାରେ ସ୍ବାରଗେଟ୍‌ ପୁଲିସ ଷ୍ଟେସନ୍‌ ଏସ୍‌ଆଇଟି ଦ୍ବାରା ସେ ଗିରଫ ହେଲା।  

ସୂଚନାଯୋଗ୍ୟ, ଗତ  ମଙ୍ଗଳବାର ସକାଳେ ସତରା ଜିଲ୍ଲାର ସ୍ବାରଗେଟ୍‌ ବସ୍‌ଷ୍ଟାଣ୍ଡ୍‌ ନିକଟରେ ଜଣେ  ମହିଳା ତାଙ୍କ ଘରକୁ ଯିବାପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଅଭିଯୁକ୍ତ ମହିଳାଙ୍କୁ ଦେଖିବାପରେ ତାଙ୍କୁ ସାହାଯ୍ୟ କରିବାପାଇଁ ଚାହିଥିଲା ଏବଂ ଏକ୍‌ ବସ୍‌ ନିକଟକୁ ନେଇଥିଲା। ଏହି ବସ୍‌ଟି ମହିଳାଙ୍କ ଗାଁକୁ ଯିବ ବୋଲି ସେ କହିଥିଲା। ମହିଳା ଜଣଙ୍କ ବସ୍‌ରେ ଚଢ଼ିଯିବା ପରେ ସେ ନିଜେ ବସ୍‌କୁ ଚଢ଼ିଯାଇ ତାଙ୍କୁ ଦୁଷ୍କର୍ମ କରିଥିଲା।