ପୁଣେ: ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ନିୟମ କଡ଼ାକଡ଼ି କଲେ ପୁଣେ ନଗର ନିଗମ। କିଛି ଲୋକ କରୋନା ଆକ୍ରାନ୍ତ ହେବା ପରେ ଘରେ ସଙ୍ଗରୋଧରେ ରହିବାର ବିକଳ୍ପ ବାଛି ମଧ୍ୟ ବାହାରେ ବୁଲୁଥିବା ଦେଖିବାକୁ ମିଳିବାରୁ ନିୟମ କଡ଼ାକଡ଼ି କରାଯାଇଛି। ଯଦି କେହି ଘରୋଇ ସଙ୍ଗରୋଧରେ ଥିବା ବେଳେ କରୋନା କଟକଣା ନମାନି ବାହାରେ ବୁଲୁଥିବାର ଦେଖିବାକୁ ମିଳେ ତେବେ ତାକୁ ୨୫,୦୦୦ଟଙ୍କାର ଜରିମାନା ଦେବାକୁ ହେବ।
ଏନେଇ ଘରୋଇ ସଙ୍ଗରୋଧକୁ ଯିବା ପୂର୍ବରୁ ଆକ୍ରାନ୍ତଙ୍କଠାରୁ ଅଣ୍ଡରଟେକିଂ ନିଆଯିବ, ଯେଉଁଥିରେ କଟକଣା ନମାନିଲେ ୨୫,୦୦୦ଟଙ୍କା ଜରିମାନା ଦେବାବୁ ହେବ ବୋଲି ଲେଖାଥିବ। ବର୍ତ୍ତମାନ ପୁଣେରେ ୩୫,୦୦୦ଲୋକ ଘରୋଇ ସଙ୍ଗରୋଧରେ ଅଛନ୍ତି।
କରୋନାର ଦ୍ବିତୀୟ ଲହର ଏବେ ଉଦବେଗଜନକ ହେବାରେ ଲାଗୁଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମଣ ଆଜି ୧ କୋଟି ୨୮ ଲକ୍ଷ ଟପିଯାଇଛି। ୩ ଦିନ ମଧ୍ୟରେ ଆଜି ଦ୍ବିତୀୟ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୧ ଲକ୍ଷରୁ ଅଧିକ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧,୧୫,୭୩୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଆଜି ପର୍ଯ୍ୟନ୍ତ ଦେଶର ସର୍ବାଧିକ ସଂକ୍ରମଣ। ଏହା ପୂର୍ବରୁ ଗତ ସୋମବାର ଦେଶରେ ସଂକ୍ରମଣ ମାମଲା ୧୦୩,୫୫୮ ଥିଲା। ବିଗତ ୨୪ ଘଣ୍ଟାରେ ଦେଶରେ ୬୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧, ୨୮, ୦୧,୭୮୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬୬,୧୭୭ ରହିଛି। ଲଗାତାର ୨୮ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ି ଚାଲିଛି। ଦେଶରେ ସକ୍ରିୟ ମାମଲା ଏବେ ୮,୪୩,୪୭୩ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/home-quarantine-rule-fine08_Thumb.jpg)