ପୁଣେ: ପୁଣେର ଦୌଣ୍ଡ ତହସିଲ ଅନ୍ତର୍ଗତ ୟବତ ଗ୍ରାମରେ  ଆପତ୍ତିଜନକ ହ୍ୱାଟ୍ସଆପ୍ ଷ୍ଟାଟସ୍‌କୁ ନେଇ  ଗତକାଲି ସାଂପ୍ରଦାୟିକ ସଂଘର୍ଷ ହୋଇଥିବା ବେଳେ ଆଜି ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ୫୦୦ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି।  ଆଜି କୌଣସି ହିଂସା ଘଟିନଥିଲେ ମଧ୍ୟ ପରିସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି। ଜଣେ ସ୍ଥାନୀୟ ଯୁବକ ମେସେଜିଂ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରିବା ପରେ ଉତ୍ତେଜନା  ବୃଦ୍ଧି ପାଇଥିଲା, ଯାହାକୁ ଅନେକ ଗ୍ରାମବାସୀ ଆପତ୍ତିଜନକ ଦର୍ଶାଇ ଅନ୍ୟ ଏକ ସଂପ୍ରଦାୟକୁ ଟାର୍ଗେଟ୍‌ କରିଥିଲେ। ଏହି ପୋଷ୍ଟ ଅପଲୋଡ୍ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି। 

Advertisment

ଗତକାଲି ଦଙ୍ଗାକାରୀମାନେ ଅନେକ ଗାଡ଼ିରେ ନିଆଁ ଲଗାଇବା ସହ ସରକାରୀ ଓ ବେସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ।  ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ  ପୁଲିସ ଲୁହବୁହା ଗ୍ୟାସ୍ ସେଲ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା। ଆଗକୁ ଉତ୍ତେଜନା  ରୋକିବା ପାଇଁ ଏହି ଅଞ୍ଚଳରେ ସିଆରପିସିର ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଜାରି କରାଯାଇଛି। ୟବତମାଲ ପୁଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ନାରାୟଣ ଦେଶମୁଖ କହିଛନ୍ତି, ଗିରଫ ଦଙ୍ଗାକାରୀମାନଙ୍କୁ ଅଗଷ୍ଟ ୬ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ହିଂସାକାଣ୍ଡ  ନେଇ ମୋଟ ପାଞ୍ଚଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ୧୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ପୁଲିସ କହିଛି।