ଅନ୍ଧବିଶ୍ୱାସରେ ନୂଆ ଅଧ୍ୟାୟ: ରୋଗୀଙ୍କୁ ଆରୋଗ୍ୟ କରାଇବା ପାଇଁ ‘ବାବା’ଙ୍କୁ ଆଣି ଆଇସିୟୁ ଭିତରେ ପୂଜାପାଠ କରାଇଲେ ଡାକ୍ତର; ଭିଡିଓ ହେଲା ଭାଇରାଲ

ପୁଣେ: ଭାରତରେ ଅନ୍ଧବିଶ୍ୱାସ କିଛି ନୂଆ କଥା ନୁହେଁ। ସେହିପରି ରୋଗରୁ ଆରୋଗ୍ୟ ଲାଭ ପାଇଁ ପୂଜାର୍ଚ୍ଚନା ମଧ୍ୟ କିଛି ନୂଆକଥା ନୁହେଁ। ତେବେ, ଜନୈକା ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଆରୋଗ୍ୟ କରିବା ଉଦ୍ଦେଶ୍ୟରେ ଜଣେ ‘ବାବା’ (ଗଡ୍‌ମ୍ୟାନ୍‌)ଙ୍କୁ ଡକାଇ ଡାକ୍ତରଖାନା ଆଇସିୟୁ ଭିତରେ ପୂଜାପାଠ କରାଇବା; ଏବଂ ଏହାର ଠିକ୍‌ ଦିନକ ପରେ ସଂପୃକ୍ତା ମହିଳା ରୋଗୀଙ୍କ ମୃତ୍ୟୁ ଘଟିବା ଘଟଣା ଏବେ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ଏଥିସହ ପୂରା ଘଟଣାକ୍ରମକୁ ରେକର୍ଡିଂ କରି ପ୍ରସ୍ତୁତ ହୋଇଥିବା ଭିଡିଓ ଏବେ ଭାଇରାଲ ହୋଇ ଯାଇଛି। ପୁଣି, ଏପ୍ରକାରର ଅଭାବନୀୟ ଘଟଣା ଘଟିଛି ପୁଣେର ଅନ୍ୟତମ ଖ୍ୟାତନାମା ହସ୍ପିଟାଲ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସନ୍ଧ୍ୟା ଗଣେଶ ସୋନାଓ୍ଵାନା ନାମ୍ନୀ ଜନୈକା ୨୪ ବର୍ଷ ବୟସ୍କା ଗୁରୁତର ଅବସ୍ଥାରେ ଆସି ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଫେବ୍ରୁଆରି ୨୧ ତାରିଖରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କୁ ଆସିୟୁରେ ରଖି ଚିକିତ୍ସା କରାଯାଉଥିଲା। ହେଲେ, ତାଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଥିଲା। ଶେଷରେ ତାଙ୍କ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅକାମି (ମଲ୍ଟିପଲ ଅର୍ଗାନ୍‌ ଫେଲିଅର) ହେବାରୁ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା।

ହେଲେ, ସନ୍ଧ୍ୟାଙ୍କର ମୃତ୍ୟୁ ଘଟିବା ପରେ ତାଙ୍କ ପରିବାର ଲୋକେ ଏକ ଭିଡିଓ ପ୍ରଦର୍ଶିତ କରିଛନ୍ତି। ଯେଉଁ ଭିଡିଓରେ ଦେଖିବାକୁ ମିଳଛି, ଆଇସିୟୁ ଭିତରେ ସନ୍ଧ୍ୟାଙ୍କ ନିକଟରେ ବସି ଜଣେ ବାବା ତାଙ୍କର ଆରୋଗ୍ୟ ନିମନ୍ତେ ପୂଜାପାଠ ଚଳାଇଛନ୍ତି। ଆଉ ସନ୍ଧ୍ୟାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସତୀଶ ଚଭନ କଡ଼ରେ ହାତଯୋଡ଼ି ଠିଆ ହୋଇଛନ୍ତି। ସନ୍ଧ୍ୟାଙ୍କ ପରିବାର ଲୋକେ ଅଭିଯୋଗ କରି କହିଛନ୍ତି ଯେ ଡାକ୍ତର ଚଭନ ଗତ ୧୧ ତାରିଖ ରବିବାର ଦିନ ସଂପୃକ୍ତ ବାବାଙ୍କୁ ଆଇସିୟୁ ଭିତରକୁ ଆଣି ସନ୍ଧ୍ୟାଙ୍କ ଆରୋଗ୍ୟ ପାଇଁ ପୂଜାପାଠ କରାଇଥିଲେ। ତେବେ, ଏ ଘଟଣା ପଦାକୁ ଆସିବା ପରେ ଦୀନାନାଥ ମଙ୍ଗେସକର ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଡାକ୍ତର ଚଭନ ତାଙ୍କ ହସ୍ପିଟାଲର ଡାକ୍ତର ନଥିବା କହି ଏଡ଼ାଇ ଯାଇଛନ୍ତି।


ମୃତା ସନ୍ଧ୍ୟାଙ୍କ ଭାଇ ମହେଶ ଜଗପତ୍‌ କହିଛନ୍ତି ଯେ ସ୍ତନ କର୍କଟ ରୋଗରେ ଅକ୍ରାନ୍ତ ହେବା ପରେ ସୋରଗେଟ୍‌ ଅଞ୍ଚଳରେ ଥିବା ଡାକ୍ତର ଚଭନଙ୍କର ଏକ ହସ୍ପିଟାଲକୁ ସନ୍ଧ୍ୟା ଚିକିତ୍ସିତ ହେବାକୁ ଯାଇଥିଲେ। ସେଠାରେ ଡାକ୍ତର ଚଭନଙ୍କର ପରାମର୍ଶ କ୍ରମେ ଫେବ୍ରୁଆରି ମାସରେ ସନ୍ଧ୍ୟାଙ୍କର ଏକ ଅସ୍ତ୍ରୋପଚାର ହୋଇଥିଲା। ହେଲେ, ଏହି ଅସ୍ତ୍ରୋପଚାର ପରେ ସନ୍ଧ୍ୟାଙ୍କର ଅବସ୍ଥା ଆହୁରି ଗୁରୁତର ହୋଇ ପଡ଼ିଥିଲା। ପରେ ଡାକ୍ତର ଚଭନଙ୍କ ପରାମର୍ଶ କ୍ରମେ ସନ୍ଧ୍ୟାଙ୍କୁ ଦୀନାନାଥ ମଙ୍ଗେସକର ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବଂ ଡାକ୍ତର ଚଭନ ସନ୍ଧ୍ୟାଙ୍କର ଚିକିତ୍ସା କରୁଥିଲେ।

ଗତ ମାର୍ଚ୍ଚ ୧୧ ତାରିଖ ରବିବାର ଦିନ ଡାକ୍ତର ଚଭନ ସାଙ୍ଗରେ ଜଣେ ବ୍ୟକ୍ତିଙ୍କୁ ଧରି ଡାକ୍ତରଖାନାକୁ ଆସିଥିଲେ। ପରେ ଡାକ୍ତର ଚଭନଙ୍କ ସହ ସଂପୃକ୍ତ ବ୍ୟକ୍ତି ଜଣକ ଆଇସିୟୁ ଭିତରକୁ ଯାଇ ସନ୍ଧ୍ୟାଙ୍କ ବେଡ୍‌ କଡ଼ରେ ବସି ସାଙ୍ଗରେ ଆଣିଥିବା କିଛି ନାଲିଫୁଲ ଧରି ପୂଜାପାଠ କରିବା ସହ ମନ୍ତ୍ର ଉଚ୍ଚାରଣ କରିଥିଲେ। ଆମେ ଏସବୁ ବାବଦରେ ଅଜ୍ଞ ଥିଲୁ। ଫଳରେ ଏ ଘଟଣାରେ ଚକିତ ହୋଇ ଆମେ ପୂରା ଘଟଣାକ୍ରମକୁ ମୋବାଇଲରେ ରେକର୍ଡିଂ କରି ରଖିଥିଲଉ ବୋଲି ଗଣମାଧ୍ୟମକୁ କହିଛନ୍ତି ମୃତା ସନ୍ଧ୍ୟାଙ୍କ ଭାଇ ମହେଶ। ଏହି ଘଟଣାର ଦିନକ ପରେ ସୋମବାର ଦିନ ସନ୍ଧ୍ୟାଙ୍କର ପରଲୋକ ହୋଇ ଯାଇଥିଲା।

ଏ ଘଟଣା ସଂପର୍କରେ ପୋଲିସରେ ଅଭିଯୋଗ ହେବାପରେ ଆଲାଙ୍କର ପୋଲିସ୍‌ ଥାନାର ବରିଷ୍ଠ ଇନସପେକ୍ଟର ରେଖା ସାଲୁଙ୍କେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର