କୂଅରେ ପଡ଼ିଯାଇଥିଲା ଚିତା…ଖଟିଆରେ ଉଦ୍ଧାର ହେଲା

ପୁଣେ : ୪୫-ଫୁଟ ଗଭୀର କୂଅରେ ପଡ଼ି ଛଟପଟ ହେଉଥିଲା ଚିତା ବାଘ । ଠିକ ସମୟରେ ବନ ବିଭାଗ ପହଞ୍ଚି ଏକ ଅଭିନବ ଉପାୟରେ ଏକ ଖଟିଆ ମାଧ୍ୟମରେ ତାକୁ ଉଦ୍ଧାର କରିଛନ୍ତି । ଏପରି ଏକ ରୋଚକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ।

ପୁଣେ ଜିଲ୍ଲାର ବେଲହେ ଗ୍ରାମରେ ଥିବା ଏକ ୪୫ ଫୁଟ ଗଭୀର କୂଅରେ ଗତ ଶନିବାରଦିନ ଏକ ଚିତାବାଘ ଖସିପଡ଼ିଥିଲା । କୂଅରେ ପାଣି ଥିବାରୁ ଚିତାବାଘଟି ବଞ୍ଚିବା ପାଇଁ ସଂଘର୍ଷ କରୁଥିଲା ଓ ପ୍ରାଣ ବିକଳରେ ଗର୍ଜନ କରୁଥିଲା । ବାଘ ଗର୍ଜନ ଶୁଣି ଗ୍ରାମବାସୀମାନେ ଉକ୍ତ ସ୍ଥାନରେ ପହଞ୍ଚିବା ସହ ବାଘକୁ ଦେଖିବାକୁ ପାଇଥିଲେ ଓ ମହାରାଷ୍ଟ୍ର ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଜଙ୍ଗଲ ବିଭାଗ ଓ ଓ୍ବାଇଲଡଲାଇଫ ଏସଓଏସର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ତେବେ ବାଘକୁ କୂଅରୁ କିପରି ଉଦ୍ଧାର କରାଯିବ ?

ଏହି ସମସ୍ୟାର ସମାଧାନ ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଏକ ଅଭିନବ ଉପାୟ ଗ୍ରହଣ କରାଗଲା । ଏକ ଖଟିଆର ଗୋଡରେ ରସି ବାନ୍ଧି ତାହାକୁ କୂଅ ମଧ୍ୟକୁ ପ୍ରବେଶ କରାଗଲା । ଖଟିଆକୁ ଦେଖି ବାଘ ତୁରନ୍ତ ସେଥିରେ ଚଢିଯାଇଥିଲା । କିଛିବାଟ ଉପରକୁ ଉଠିବା ପରେ ବନ ବିଭାଗ ପକ୍ଷରୁ ଏକ ଯନ୍ତା ପ୍ରସ୍ତୁତ କରି ରଖାଯାଇଥିଲା । ଯନ୍ତାରେ ବାଘକୁ ପୁରାଇ ତାହାକୁ ମାଣିକଡୋ ଚିତାବାଘ ଉଦ୍ଧାର କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାହାର ସ୍ବାସ୍ଥ୍ୟ ପରୀକ୍ଷାକରିବା ପରେ ତାହାକୁ ଜଙ୍ଗଲେ ଛଡ଼ାଯାଇଥିଲା ।

ସମ୍ବନ୍ଧିତ ଖବର