ଶରଦ ପାୱାରଙ୍କ ଘରେ ଆକ୍ରମଣ ଘଟଣାରେ ପୁଣେ ସାମ୍ବାଦିକ ଗିରଫ

ମୁମ୍ବାଇ: ଗତ ସପ୍ତାହରେ ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ଘଟଣାରେ ମୁମ୍ବାଇ ପୁଲିସ ବୁଧବାର ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏହା ସହିତ ଗତ ଶୁକ୍ରବାର ଦିନ ଏହି ଘଟଣା ଘଟିବା ପରେ ଏପର୍ଯ୍ୟନ୍ତ ୧୧୫ ଜଣଙ୍କୁ ପୁଲିସ ପକ୍ଷରୁ ଅଟକ ରଖାଯାଇଛି।
ବୁଧବାର ଦିନ ପୁଲିସ ଏହି ଘଟଣାରେ ପୁଣେର ସାମ୍ବାଦିକ ଚନ୍ଦ୍ରକାନ୍ତ ସୂର୍ଯ୍ୟବଂଶୀଙ୍କୁ ଗିରଫ କରିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ମୁମ୍ବାଇର ଗାମଦେବୀ ପୁଲିସ ଷ୍ଟେସନର ଏକ ଦଳ ତାଙ୍କୁ ପୁଣେରୁ ଗିରଫ କରିବା ପରେ ମୁମ୍ବାଇକୁ ଆଣିଛନ୍ତି। ଏବେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଧର୍ମଘଟ ଚଳାଇ ଥିବା ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମଏସଆରଟିସି) କର୍ମଚାରୀଙ୍କ ଏକ ଗୋଷ୍ଠୀ ଏପ୍ରିଲ ୮ ଅପରାହ୍ନରେ ଦକ୍ଷିଣ ମୁମ୍ବାଇର ପେଡର ରୋଡରେ ପାୱାରଙ୍କ ବଙ୍ଗଳା ବାହାରେ ଏକ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପାଓ୍ଵାର କିଛି କରୁ ନଥିବା ଅଭିଯୋଗ କରିଥିଲେ। ପରେ ମୁମ୍ବାଇ ପୁଲିସ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଧର୍ମଘଟକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଗୁଣରତ୍ନ ସଦାବର୍ତ୍ତେଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରିଥିଲା।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ମଙ୍ଗଳବାର କହଥିଲେ ଯେ ପାୱାରଙ୍କ ବାସଭବନ ବାହାରେ ଏମଏସଆରଟିସି କର୍ମଚାରୀଙ୍କ ସମ୍ଭାବ୍ୟ ହିଂସାତ୍ମକ ବିରୋଧ ବିଷୟରେ ଗୁଇନ୍ଦା ବିଭାଗ ଏପ୍ରିଲ ୪ ରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଏକ ଚିଠି ପଠାଥିଲା। ଏହା ସତ୍ତ୍ୱେ ବି ସେଠାରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଛି ଏବଂ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ଏହି ତ୍ରୁଟିର ତଦନ୍ତ ଚାଲିଛି, ଏବଂ ଜୋନ୍‌ ଦୁଇର ଡେପୁଟି କମିଶନର (ଡିସିପି)ଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଗାମଦେବୀ ପୁଲିସ ଷ୍ଟେସନର ଜଣେ ବରିଷ୍ଠ ଇନ୍‌ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର