ପୁଣେ: ଭାରତକୁ ବାହ୍ୟମଳ ମୁକ୍ତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଚଳାଉଥିବା ବେଳେ ପୁଣେର ଜଣେ ବ୍ୟକ୍ତି ଏଥିପାଇଁ ଗୋଟାଏ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି। ରାମଦାସ ମାଣେ ନାମକ ସେ ବ୍ୟକ୍ତି ଥର୍ମୋକୋଲ୍ରେ ଶୌଚାଳୟ ନିର୍ମାଣ କରୁଛନ୍ତି।
ରାମଦାସ ମାଣେଙ୍କ କମ୍ପାନି ଦୁଇ ଘଣ୍ଟା ମଧ୍ୟରେ ସିମେଣ୍ଟ୍ ଲେପ ଦିଆ ଶୌଚାଳୟ ତିଆରି କରି ପାରୁଛି।
ମାଣେ କହନ୍ତି: ଏହାକୁ ଆମେ ଶୌଚାଳୟ ନିର୍ମାଣ କରିବାକୁ ସାମର୍ଥ୍ୟ ନ ଥିବା ଝିଅମାନଙ୍କୁ ବିବାହ ଉପହାର ଦେଉଛୁ। ଏ ପର୍ଯ୍ୟନ୍ତ ୨୫ ଜଣ ଝିଅଙ୍କୁ ଉପହାର ଦେଇ ସାରିଲୁଣି।
ଦେଶର ସବୁଆଡ଼କୁ ତାଙ୍କ ଶୌଚାଳୟ ଯୋଗାଣ ଚାଲିଛି। ଦେଶବ୍ୟାପୀ ସେ ୨୨୦୦୦ ଶୌଚାଳୟ ଯୋଗାଇ ସାରିଲେଣି।
ତାଙ୍କ ଶୌଚାଳୟ ନିର୍ମାଣ ବ୍ୟବସାୟ କ୍ଷତି ନୁହେଁ କି, ଲାଭ ନୁହେଁ ଆଧାରରେ ଚାଲିଛି। ଏଥିପାଇଁ ମାଣେଙ୍କୁ ବିଭିନ୍ନ ସଙ୍ଗଠନ ସମେତ ସରକାରଙ୍କ ଠାରୁ ପୁରସ୍କାର ପାଇଛନ୍ତି। ଅଷ୍ଟ୍ରେଲିଆ ଏବଂ ଉଗାଣ୍ଡା ଆଦି ଦେଶରୁ ମଧ୍ୟ ମାଣେ ପୁରସ୍କାର ପାଇଛନ୍ତି।
୨୦୦୭ରେ ତାଙ୍କ ନାମ ଲିମ୍କା ବୁକ୍ ଅଫ୍ ରେକର୍ଡସ୍କୁ ଉଠିଥିଲା।
ବିଶେଷକରି ଥର୍ମୋକୋଲ୍ ମେସିନ୍ ତିଆରି କରିବାକୁ ୧୯୯୩ ମସିହାରେ ତାଙ୍କର ‘ମାଣେ ଗ୍ରୁପ୍ ଅଫ୍ କମ୍ପାନିଜ୍’ ଆରମ୍ଭ ହୋଇଥିଲା। ମାଣେ କହନ୍ତି ସେ ୪୫ଟି ଦେଶକୁ ର୍ଥର୍ମୋକୋଲ୍ ତିଆରି କରିବା ମେସିନ ଯୋଗାଇଛନ୍ତି ଏବଂ ଭାରତରେ ତିଆରି ହେଉଥିବା ପ୍ରାୟ ୮୦% ଥର୍ମୋକୋଲ୍ ତାଙ୍କ ତିଆରି ମେସିନ୍ ଦ୍ୱାରା ନିର୍ମିତ ହେଉଛି।
ଥର୍ମକୋଲ୍ ରିସାଇକ୍ଲିଙ୍ଗ୍ ମେସିନ୍ ପାଇଁ ତାଙ୍କୁ ଏକ ପେଟେଣ୍ଟ୍ ମଧ୍ୟ ମିଳିଛି।
ପାଠ ପଢ଼ା ପୂର୍ଣ୍ଣ କରିବାକୁ ସେ କଠୋର ପରିଶ୍ରମ କରିବା ସହ ସାମୟିକ ଚାକିରି କରୁଥିଲେ। ଏଥିପାଇଁ ତାଙ୍କୁ ମାସ ମାସ ଧରି ଫୁଟ୍ପାଥ୍ରେ ଶୋଇବାକୁ ପଡ଼ିଛି। କଲେଜରେ ପଢ଼ିବା ବେଳେ ତାଙ୍କୁ ରାତି ସିଫ୍ଟ୍ରେ ଏକ ବସ୍ଷ୍ଟାଣ୍ଡ୍ କ୍ୟାଣ୍ଟିନ୍ରେ କାମ କରିବାକୁ ପଡ଼ିଥିଲା।
ଆଜି ତାଙ୍କ କମ୍ପାନିର ବାର୍ଷିକ କାରବାର ୪୦ କୋଟି। ତାଙ୍କ ଅଧୀନରେ ୭୦ ଜଣ କର୍ମଚାରୀ କାମ କରୁଛନ୍ତି। ଆନ୍ତର୍ଜାତିକ ବଜାର ତୁଳନାରେ ତାଙ୍କ ନିର୍ମିତ ଥର୍ମୋକୋଲ୍ ତିଆରି କରିବା ମେସିନ ଶସ୍ତା ହୋଇଥିବାରୁ ଅଧିକାଂଶ ଦେଶ ତାକୁ କିଣୁଛନ୍ତି।