ପୁଣେ ବିଜ୍ଞାନାଗାରର ଦ୍ରୁତ କରୋନା ପରୀକ୍ଷଣ କିଟ୍‌, ଅଢେ଼ଇ ଘଣ୍ଟାରେ ୯୦ ନମୁନାର ପରୀକ୍ଷା

ନୂଆଦିଲ୍ଲୀ: କରୋନା ଭୂତାଣୁର ଗଣସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତା ବଜାୟ ରଖିବା ସହ ବିକ୍ଷିପ୍ତ ଭାବରେ ସନ୍ଦିଗ୍ଧ ସ୍ଥାନମାନଙ୍କରେ ଦ୍ରୁତ ନମୁନା ପରୀକ୍ଷଣ ଅବଶ୍ୟମ୍ଭାବୀ ହୋଇପଡ଼ିଛି। ତେବେ ଏବେ ଦେଶରେ ଉପଲବ୍ଧ ବିଦେଶୀ ଆଣ୍ଟିବଡି କିଟ୍ ଦ୍ବାରା ଏପରି ପରୀକ୍ଷଣ କରିବା ସମୟସାପେକ୍ଷ ତଥା ବ୍ୟୟସାପେକ୍ଷ ହେଉଥିବାରୁ ଏପରି ସମସ୍ୟାର ସମାଧାନ ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍)ର ସହଯୋଗୀ ପ୍ରତିଷ୍ଠାନ ପୁଣେ ସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ(ଏନ୍ଆଇଭି) ଏକ ପ୍ରକାର ନୂତନ ପରୀକ୍ଷଣ କିଟ୍ ବାହାର କରିଛି। ଏହା ଦ୍ବାରା ମାତ୍ର ଅଢେ଼ଇ ଘଣ୍ଟା ଅବଧି ମଧ୍ୟରେ ୯୦ ପାଖାପାଖି ନମୁନା ପରୀକ୍ଷା କରାଯାଇପାରିବ ବୋଲି ଦାବି କରାଯାଇଛି।

କୋଭିଡ୍–କାଭାକ୍–ଏଲିସା ନାମକ ଏହି କିଟ୍‌ର ବ୍ୟାବସାୟିକ ପ୍ରସ୍ତୁତି ପାଇଁ ଆବଶ୍ୟକ ଜ୍ଞାନକୌଶଳ ଭାରତୀୟ ଔଷଧ ନିର୍ମାତା କମ୍ପାନି ଜାଇଡସ୍‌କୁ ହସ୍ତାନ୍ତର କରାଯାଇଛି। ଏଇ ଅଳ୍ପ ଦିନ ଭିତରେ ଦେଶରେ ବିଭିନ୍ନ ସଂସ୍ଥା ଦ୍ବାରା ଏପରି ଆହୁରି ଏକାଧିକ ଦ୍ରୁତ ପରୀକ୍ଷଣ କିଟ୍ ବିକାଶ କରାଯାଇଛି। ତେବେ କୋଭିଡ୍–କାଭାକ୍–ଏଲିସା ଅନ୍ୟମାନଙ୍କ ତୁଳନାରେ ଅଧିକ ସମ୍ବେଦନଶୀଳ ରହିବା ସହ ଅଧିକ ନିର୍ଭୁଲ୍ ଫଳାଫଳ ମଧ୍ୟ ଦେଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର ମଙ୍ଗଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର