ପୁଣେ ବୈଜ୍ଞାନିକ ଦମ୍ପତିଙ୍କ କରୋନାଭୂତାଣୁ ଉତ୍ପତ୍ତି ଅନ୍ବେଷଣ, ଚୀନ୍‌ର ଅସଲ ରୂପକୁ ପଦାରେ ପକାଇଲେ

ପୁଣେ(ମହାରାଷ୍ଟ୍ର): ବିଭିନ୍ନ ସମୟରେ ଉପଲବ୍‌ଧ ତଥ୍ୟକୁ ଭିତ୍ତି କରି ପୁଣେର ଏକ ବୈଜ୍ଞାନିକ ଦମ୍ପତିଙ୍କର ଅଭିନବ କରୋନାଭୂତାଣୁର ଉତ୍ପତ୍ତି ସ୍ଥଳ ଠାବ କରିବାରେ ଆଣିଥିବା ସକାରାତ୍ମକ ନିର୍ଯାସ ସାମ୍ପ୍ରତିକ ସ୍ଥିତିରେ ଚର୍ଚ୍ଚାର ବିଷୟ ହୋଇଛି। ଚୀନ୍‌ର ଉହାନ ସହର ସ୍ଥିତ ଏକ ଭୂତାଣୁ ବିଜ୍ଞାନାଗାରରୁ ଉକ୍ତ କରୋନାଭୂତାଣୁର ଉତ୍ପତ୍ତି ହେବା ସହ ତାହା ଅସାବଧାନତାବଶତଃ ଅନ୍ୟତ୍ର ବ୍ୟାପିଯାଇଥିବା ତତ୍ତ୍ବକୁ ଚୀନ୍‌ ଖଣ୍ଡନ କରି ଚାଲିଥିବା ବେଳେ ଡା. ରାହୁଲ ବାହୁଲିକର ଓ ତାଙ୍କ ପତ୍ନୀ ଡା. ମୋନାଲି ରାହଲକର ଏ ଦିଗରେ ଯୋଗାଇଥିବା ତଥ୍ୟଭିତ୍ତିକ ପ୍ରମାଣ ଚୀନ୍‌ର ଅସଲ ଚେହେରାକୁ ପଦାରେ ପକାଇଦେଇଛି। ୨୦୧୨ ମସିହାରେ ଚୀନ୍‌ର ମୋଜିଆଙ୍ଗ୍‌ ଖଣି ଶ୍ରମିକଙ୍କ ଠାରେ ଦେଖାଦେଇଥିବା ସଂକ୍ରମଣ ସହ ସଦ୍ୟ ସଂକ୍ରମଣର ସାମଞ୍ଜସ୍ୟ ରହିଛି ବୋଲି ଏହି ବୈଜ୍ଞାନିକ ଦମ୍ପତି ଦାବି କରୁଥିବା ବେଳେ ଉହାନ ଭୂତାଣୁ ବିଜ୍ଞାନାଗାରରୁ ହିଁ କରୋନାଭୂତାଣୁର ସୃଷ୍ଟି ସମ୍ଭାବନା ଏବେ ପରିପୁଷ୍ଟ ହେବାରେ ଲାଗିଛି।

ସେମାନଙ୍କ କହିବା ଅନୁସାରେ, ସମ୍ପ୍ରତି ବିଶ୍ବରେ ବିଭୀଷିକା ରଚାଇଥିବା ଘାତକ କରୋନାଭୂତାଣୁ ସାର୍ସ-କୋଭ୍-୨ର ଆବିର୍ଭାବ ଜାଣିବା ପାଇଁ ସେମାନେ ଆର୍‌ଏଟିଜି-୧୩ ନାମକ ଏହାର ଏକ ସମ୍ପର୍କୀୟ ଭୂତାଣୁ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିଥିଲେ। ଏହି ଅବସରରେ କୌତୂହଳବଶତଃ ସେମାନଙ୍କ ନଜରରେ ପଡ଼ିଥିବା ୨୦୧୨ ମସିହାରୁ ପରିତ୍ୟକ୍ତ ଥିବା ଦକ୍ଷିଣ ଚୀନ୍‌ର ମୋଜିଆଙ୍ଗ୍‌ ସ୍ଥିତ ଏକ ତମ୍ବା ଖଣି ସମ୍ପର୍କିତ କିଛି ରହସ୍ୟମୟ ତଥ୍ୟ ସେମାନଙ୍କୁ ଆନ୍ଦୋଳିତ କରିଥିଲା। ଉକ୍ତ ଖଣିରେ ବାଦୁଡ଼ିମାନେ ଛାଡ଼ିଯାଉଥିବା ମଳକୁ ସଫା କରିବା ଲାଗି ୬ ଜଣ ଶ୍ରମିକଙ୍କୁ ନିଯୁକ୍ତି ମିଳିଥିଲା। ପରେ ସମସ୍ତ ୬ ଜଣ ଯାକ ଶ୍ରମିକ ନିମୋନିଆରେ ଆକ୍ରାନ୍ତ ହେବା ସହ ପ୍ରାଣ ହରାଇଥିଲେ। ସମ୍ପ୍ରତି ବିଶ୍ବବ୍ୟାପୀ ବିଭିନ୍ନ କୋଭିଡ୍‌-୧୯ ରୋଗୀଙ୍କର ସିଟି ସ୍କାନ୍‌ ସେହି ମୋଜିଆଙ୍ଗ ଖଣି ଶ୍ରମିକଙ୍କ ସିଟି ସ୍କାନ୍‌ ତଥ୍ୟ ସହ ପ୍ରାୟ ମେଳ ଖାଇଥିଲା।

ସେହିପରି ସେହି ଶ୍ରମିକମାନଙ୍କୁ ଦିଆଯାଉଥିବା ଭୂତାଣୁବିରୋଧୀ ଔଷଧ ଏବେ କୋଭିଡ୍‌ ରୋଗୀଙ୍କୁ ମଧ୍ୟ ଦିଆଯାଉଥିବା ଔଷଧ ସହ ପ୍ରାୟ ସମାନ। ପରେ ଏହି ଦମ୍ପତି ‘ଚୀନ୍‌ର କରୋନା ଡାକ୍ତର’ ଭାବେ ପରିଚିତ ଡା. ଝୋଙ୍ଗ ନାନ୍‌ସାନ୍‌ଙ୍କ ସହ ଯୋଗାଯୋଗ କରି ସଂପୃକ୍ତ ଶ୍ରମିକମାନଙ୍କର ମୃତ୍ୟୁ ପାଇଁ ଭୂତାଣୁ ସଂକ୍ରମଣ ହିଁ ଦାୟୀ ବୋଲି ଜାଣିବାକୁ ପାଇଥିଲେ। ତେଣୁ ଚୀନ୍‌ ଯେତେ ଲୁଚାଇଲେ ବି ଉହାନ୍‌ରୁ ହିଁ ପରୀକ୍ଷାନିରୀକ୍ଷା ବେଳେ ଉକ୍ତ କରୋନାଭୂତାଣୁ ଏପରି ସାରା ବିଶ୍ବକୁ ବ୍ୟାପିଯିବା ସମ୍ବାବନା ଅଧିକ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର