ପୁଣେ: ପୁଣେରେ ଦ୍ରୁତ ଗତିରେ ଆସୁଥିବା ପୋର୍ସ କାର୍ ଦୁର୍ଘଟଣା ଘଟାଇଥିବା ୧୭ ବର୍ଷର ବାଳକକୁ ଗିରଫ ହେବାର ୧୫ ଘଣ୍ଟା ମଧ୍ୟରେ ଜାମିନ ମିଳିବା କଥା ସଭିଙ୍କୁ ଚକିତ କରିଛି। ଜାମିନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ ବିରୋଧୀଦଳ ନେତା। ସେମାନେ ଅଭିଯୋଗ କରିଛନ୍ତି ଯେ ନାବାଳକଙ୍କୁ ଗିରଫ କରାଯିବା ପରେ ପୁଲିସ୍ ଷ୍ଟେସନ୍ରେ ପିଜା ଓ ବିରିୟାନି ଖାଇବାକୁ ଦିଆଯାଇଥିଲା।
ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ପୁଣେ ପୁଲିସ କମିସନର ଅମିତେଶ କୁମାରଙ୍କୁ ବରଖାସ୍ତ କରାଯିବାକୁ ଦାବି କରିବା ସହ ଯୁବକଙ୍କୁ ଗିରଫ ପରେ ପୁଲିସ ଷ୍ଟେସନରେ ପିଜା ଏବଂ ବିରିୟାନି ଦିଆଯାଉଥିବା ବୋଲି ଅଭିଯୋଗ ଆଣିଛନ୍ତି। ଏଥିସହ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ଦଳର ଜଣେ ବିଧାୟକଙ୍କୁ ପୁଲିସ ଷ୍ଟେସନରେ ଉପସ୍ଥିତ ରହି ୧୭ ବର୍ଷୀୟ ନାବାଳକଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ କରିଛନ୍ତି।
"ପୁଣେ ପୁଲିସ ଜଣେ ଧନୀ ବାଳକକୁ ସାହାଯ୍ୟ କରିଛି, ଯିଏ ଦୁଇ ଜଣ ଯୁବକଙ୍କ ଜୀବନ ନେଇଛି। ତୁମେ ତାଙ୍କୁ ପିଜା ଏବଂ ବିରିୟାନି ଦେଇ ସେବା କରୁଛ? ବର୍ତ୍ତମାନ, ଭିଡିଓଟି ସାମ୍ନାକୁ ଆସିଛି ଯେ ବାଳକ ମଦ୍ୟପାନ କରୁଛି। ବାସ୍ତବତା ବିଷୟରେ ସମସ୍ତେ ଜାଣିଥିଲେ, ତଥାପି ତାଙ୍କୁ ସାହାଯ୍ୟ କରିଥିଲେ।’’ ବୋଲି ସଞ୍ଜୟ ରାଉତ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଥିଲା ଶନିବାର ରାତି ୨ଟା ୧୫ରେ। ଅନୀଷ ଓ ଅଶ୍ବିନୀ ସାଙ୍ଗମାନଙ୍କୁ ଦେଖା କରିବା ପରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ। ପୋର୍ସ କାରର ବେଗ ଘଣ୍ଟାପ୍ରତି ୨୦୦କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀଷଙ୍କ ବାଇକକୁ ଧକ୍କା ଦେଇଥିଲା। ପଛରେ ବସିଥିବା ଅଶ୍ବିନୀ ୨୦ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀଷ କାରରେ ମାଡ଼ ହୋଇ ତଳେ ପଡ଼ିଥିଲେ।