ପୋର୍ସ କାର୍ ଧକ୍କାରେ ଗଲା ୨ଜଣକ ଜୀବନ, ଚାଳକକୁ ରଚନା ‌ଲେଖିବାର ଦଣ୍ଡ ଦେଇ ଜାମିନ ଦେଲା କୋର୍ଟ

ପୁଣେ: ପୋର୍ସ କାର୍ ଧକ୍କାରେ ଗଲା ୨ଜଣକ ଜୀବନ। ୧୫ଘଣ୍ଟା ପରେ ନାବାଳକ ଚାଳକକୁ ମିଳିଗଲା ଜାମିନ୍। ପୁଣେରେ ଘଟିଛି ଏଭଳି ଘଟଣା। ୨ଜଣ ଇଞ୍ଜିନିୟର(ଜଣେ ମହିଳା ଓ ଜଣେ ପୁରୁଷ) ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ଏକ ପୋର୍ସ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଅନୀଷ ଅୱଧୀୟ ଓ ଅଶ୍ବିନୀ କୋଶଟା। ତେବେ ଚାଳକକୁ କଡ଼ା ଦଣ୍ଡ ଦେବା ପରିବର୍ତ୍ତେ ଅଜବ ସର୍ତ୍ତ ସହ କୋର୍ଟ ୧୭ବର୍ଷୀୟ ଅଭିଯୁକ୍ତକୁ ଜାମିନ ଦେଇଛି।

ସର୍ତ୍ତଗୁଡ଼ିକ ରହିଛି, ୟେରୱାଡାରେ ଟ୍ରାଫିକ ପୁଲିସ ସହ ୧୫ଦିନ କାମ କରିବାକୁ ହେବ, ଦୁର୍ଘଟଣା ଉପରେ ରଚନା ‌ଲେଖିବାକୁ ହେବ ଓ ମଦ ପିଇବାର ଅଭ୍ୟାସ ପାଇଁ ନିଜର ଚିକିତ୍ସା କରାଇବାକୁ ହେବ। ଏହି ସବୁ ସର୍ତ୍ତ ସହ ଅଭିଯୁକ୍ତକୁ କୋର୍ଟ ଜାମିନ୍ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Teen Who Killed 2 With Porsche Got Bail In 15 Hours. Ordered To Write Essay
ndtv

ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଥିଲା ଶନିବାର ରାତି ୨ଟା ୧୫ରେ। ଅନୀଷ ଓ ଅଶ୍ବିନୀ ସାଙ୍ଗମାନଙ୍କୁ ଦେଖା କରିବା ପରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ। ପୋର୍ସ କାରର ବେଗ ଘଣ୍ଟାପ୍ରତି ୨୦୦କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀଷଙ୍କ ବାଇକକୁ ଧକ୍କା ଦେଇଥିଲା। ପଛରେ ବସିଥିବା ଅଶ୍ବିନୀ ୨୦ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀଷ କାରରେ ମାଡ଼ ହୋଇ ତଳେ ପଡ଼ିଥିଲେ। ଦୁର୍ଘଟଣା ପରେ ଲୋକେ ସାହାଯ୍ୟ ପାଇଁ ଆସିଥିଲେ ବି ସେତବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା। ଏହା ପରେ ଲୋକେ କାରରେ ଥିବା ୩ଜଣ ଅଭିଯୁକ୍ତକୁ ବାହାର କରି ମାଡ଼ ମାରିବା ଆରମ୍ଭ କରିଥିଲେ। ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁହିଁଙ୍କୁ ଗିରଫ କରିଥିଲା ପୁଲିସ।

କୋର୍ଟରେ ହାଜର କରି ପୁଲିସ କଷ୍ଟଡି ପାଇଁ ଅବେଦନ କରିଥିବା ବେଳେ କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେଇଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର