ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଆଜି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ୍‌ ଟ୍ରେନ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ବୁଧବାର ରାତି ୧୧.୩୫ରେ ଚଣ୍ଡିଗଡ଼ ଛାଡ଼ିଥିବା ଏହି ଟ୍ରେନ୍‌ ଆସାମର ଦିବ୍ରୁଗଡ଼ ଯାଉଥିଲା। ଗୋଣ୍ଡା ଜିଲ୍ଲାର ମୋତିଗଞ୍ଜ ଏବଂ ଝିଲାହି ରେଳ ଷ୍ଟେସନ୍‌ ମଧ୍ୟବର୍ତ୍ତୀ ଅଂଚଳରେ ଆଜି ଅପରାହ୍ନ ୨ଟା ୩୫ରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରେଳ ବିଭାଗର ଶୀର୍ଷ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥି‌ଲେ ଏବଂ ଅତି କମ୍‌ରେ ୧୫ଟି ଆମ୍ବୁଲାନ୍ସ ଏବଂ ୪୦ ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ୍‌ ଘଟଣାସ୍ଥଳକୁ ପଠାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏସ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ଏଥିରେ ନିୟୋଜିତ ଅଛନ୍ତି। ରେଳବାଇ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଟ୍ରେନ୍‌ର ୨ ଜଣ ଲୋକୋ ପାଇଲଟ୍‌ ସୁରକ୍ଷିତ ଅଛନ୍ତି।

Advertisment

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ
୪ ମୃତ, ୨୦ ଆହତ
ଦୁର୍ଘଟଣା ପୂର୍ବରୁ ପ୍ରଚଣ୍ଡ ଶବ୍ଦ
ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ମୃତକଙ୍କ ପରିବାରକୁ ୧୦ ଲକ୍ଷ
ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ କ୍ଷତିପୂରଣ

ଦୁର୍ଘଟଣା ପୂର୍ବରୁ ଲୋକୋ ପାଇଲଟ୍‌ ପ୍ରଚଣ୍ଡ ଶବ୍ଦ ଶୁଣିଥିବା କହିଛନ୍ତି। ରେଳବାଇ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗୋଣ୍ଡା ଜିଲ୍ଲାପାଳ ନେହା ଶର୍ମା ଦୁର୍ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଣ୍ଡା ଜିଲ୍ଲାରେ ଟ୍ରେନ୍‌ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ କୁହାଯାଇଛି ଏବଂ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି। ସମସ୍ତ ଆହତ ବ୍ୟକ୍ତି ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ବୋଲି ଯୋଗୀ କହିଛନ୍ତି। ଦୁର୍ଘଟଣା ପରେ ୨ଟି ଟ୍ରେନ୍‌ ବାତିଲ ହୋଇଛି ଏବଂ ଏହି ମାର୍ଗରେ ୧୧ଟି ‌ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି। ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କ ପରିବାର ସଦସ୍ୟଙ୍କୁ ଅଢ଼େଇ ଲକ୍ଷ ଓ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା‌ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି।