ପୁଣେରେ ଯେବେ ୮୭ ବର୍ଷ ରାତି କର୍ଫ୍ୟୁ ଜାରି ହୋଇଥିଲା

ପୁଣେ : ମହାମାରୀ କୋଭିଡ୍ ଅବସରରେ ବିଭିନ୍ନ ସହରରେ ଜାରି ରାତି କର୍ଫ୍ୟୁ ଯୋଗୁଁ ଆଉ ସନ୍ଧ୍ୟାରେ କୌଣସି ନିଜ ପସନ୍ଦର ଭୋଜନାଳୟରେ ବସି ପ୍ରିୟଜନଙ୍କ ସହ ମନ ମୁତାବକ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିବାକୁ ମିଳୁନଥିଲା। ଏଭଳି ଅସୁବିଧା ପ୍ରାୟ ତିନି ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳର ପାଖାପାଖି ଶହେ ଦିନ ଯାଏ ଲୋକଙ୍କୁ ଭୋଗିବାକୁ ପଡ଼ିଥିଲା। ଏତିକି ଦିନ ଭିତରେ ସତେ ଯେମିତି ମହାର୍ଘ ବିଳାସ ହରାଇବାକୁ ପଡ଼ିଛି ବୋଲି ଅନେକ ଭାବୁଥାଇପାରନ୍ତି। ମାତ୍ର ଏ ପରିପ୍ରେକ୍ଷୀରେ ପୁଣେରେ ୧୭୬୫ ମସିହାରୁ ୧୮୫୨ ମସିହା ଯାଏ ଦୀର୍ଘ ୮୭ ବର୍ଷ ଧରି ଜାରି ରହିଥିବା ରାତି କର୍ଫ୍ୟୁକୁ ସ୍ଥାନୀୟ ଲୋକେ କିପରି ହଜମ କରିଥିଲେ ତାହା ଅବଶ୍ୟ ଅନେକଙ୍କୁ ଜଣା ନଥିବ।

ସବୁଠୁ ଦୀର୍ଘସ୍ଥାୟୀ ରାତି କର୍ଫ୍ୟୁର ମାନ୍ୟତା ରଖିଥିବା ଏହି ପୁଣେ କର୍ଫ୍ୟୁ ବେଳର କିଛି ରୋମାଞ୍ଚକର ଘଟଣା ମଧ୍ୟ ସେତେବେଳେ ଆଲୋଡ଼ନ ଆଣିଥିଲା। କର୍ଫ୍ୟୁ ବଳବତ୍ତର ଥିବା ବେଳେ ୧୭୯୧ ଅଗଷ୍ଟ ମାସର କୌଣସି ରାତିରେ ଦକ୍ଷିଣାଞ୍ଚଳର ୩୪ ଜଣ ବ୍ରାହ୍ମଣ ପୁଣେରେ ଆସି ପହଞ୍ଚିଥିଲେ। କର୍ଫ୍ୟୁ ସମ୍ପର୍କରେ ସେମାନେ ଅବଗତ ନଥିବାରୁ ରାସ୍ତାରେ ବୁଲାବୁଲି କରୁଥିଲେ। ତେବେ ସେମାନଙ୍କୁ ସୁରକ୍ଷା କର୍ମୀମାନେ ଧରିନେଇ ଏକ ସଂକୀର୍ଣ୍ଣ କୋଠରିରେ ସାରା ରାତି ଅଟକ ରଖିଥିଲେ। ତେବେ ପର ଦିନ ସକାଳେ କବାଟ ଖୋଲିଲା ବେଳକୁ ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କର ଅଣନିଶ୍ବାସୀ ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଅବଶ୍ୟ ଏହି ବ୍ୟବସ୍ଥା ଯୋଗୁଁ ସହରରେ ଅନେକାଂଶରେ ଅପରାଧ ନିୟନ୍ତ୍ରଣ ହୋଇଥିଲା। ଏହି ପ୍ରଥା ସହ ଲୋକେ ଏତେ ଅଭ୍ୟସ୍ତ ହୋଇଯାଇଥିଲେ ଯେ ସୂର୍ଯ୍ୟ ବୁଡ଼ିବା ମାତ୍ରେ ଆଉ ଘରୁ ବାହାରିବାକୁ ପସନ୍ଦ କରୁନଥିଲେ। ଏପରିକି ୧୮୫୦ ମସିହାରେ ଯେବେ ବ୍ରିଟିଶ ସରକାର ସହରରୁ ଏହି କଟକଣା ହଟାଇ ନେବାକୁ ନିଷ୍ପତ୍ତି ନେଲେ, ସହରରେ ପୁଣି ଅପରାଧ ବଢ଼ିଯିବ ଦର୍ଶାଇ ସ୍ଥାନୀୟ ଲୋକେ ଏହାର ତୀବ୍ର ବିରୋଧ କରିଥିଲେ। ତେବେ ଲୋକଙ୍କୁ ଏ ସମ୍ପର୍କରେ ବୁଝାଇବା ଲାଗି ତତ୍କାଳୀନ ଶାସକଙ୍କୁ ଦୀର୍ଘ ୨ ବର୍ଷ ଲାଗିଯାଇଥିଲା ଏବଂ ଶେଷରେ ୧୮୫୨ ମସିହାରେ ଏହାକୁ ଉଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର