ଶାଶୁ- ବୋହୂ ସଂପର୍କରେ ସୃଷ୍ଟି ହେଲା ନୂଆ ଅଧ୍ୟାୟ; ବୋହୂକୁ କିିଡ୍‌ନି ଦାନ କରି ନବଜୀବନ ପ୍ରଦାନ କଲେ ଶାଶୁ

ପୁଣେ: ଭାରତରେ ଶାଶୁ- ବୋହୂ କଳିକୁ କେନ୍ଦ୍ର କରି ପ୍ରତ୍ୟେକ ଦିନ ନୂଆ ନୂଆ ଘଟଣା ସାମନାକୁ ଆସୁଥିବା ବେଳେ ପୁଣେରେ ଜନୈକା ୫୦ ବର୍ଷ ବୟସ୍କା ଶାଶୁ ନିଜର କିଡ୍‌ନିକୁ ୩୦ ବର୍ଷ ବୟସ୍କା ବୋହୂକୁ ଦାନ କରି ତା’କୁ ନବ ଜୀବନ ପ୍ରଦାନ କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ପୁଣେର ସଙ୍ଗମନେର ଅଞ୍ଚଳରେ ରହୁଥିବା ୩୦ ବର୍ଷ ବୟସ୍କା ନଜିମା ସୟେଦଙ୍କୁ ତାଙ୍କର ୫୦ ବର୍ଷ ବୟସ୍କା ଶାଶୁ ବାତୁଲ ହାଜି ସୟେଦ ନିଜର କିଡ୍‌ନି ଦାନ କରିବା ସହ ନବ ଜୀବନ ପ୍ରଦାନ କରିଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୁଣେର ସଙ୍ଗମନେର ଅଞ୍ଚଳରେ ରହୁଥିବା ୩୦ ବର୍ଷ ବୟସ୍କା ନଜିମା ସୟେଦ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମଦେବା ପରେ ଥାଇରଏଡ୍‌ରେ ଆକ୍ରାନ୍ତ ହୋଇପଡ଼ିଥିଲେ। ପରେ ପରେ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଦୁଇଟିଯାକ କିଡ୍‌ନି ଖରାପ ହୋଇ ଯାଇଥିଲା। ନିୟମିତ ବ୍ୟବଧାନରେ ଡାଏଲିସିସ୍‌ କରିକରି ସେ ବଞ୍ଚି ରହିଥିଲେ। ଏ ପରିସ୍ଥିତିରେ ତାଙ୍କ ଶରୀରରେ ଗୋଟିଏ କିଡ୍‌ନି ପ୍ରତିରୋପଣ ନକଲେ, ତାଙ୍କର ବଞ୍ଚିବା ଅସମ୍ଭବ ହୋଇପଡ଼ିବ ବୋଲି କହିଥିଲେ। ଏକଥା ଶୁଣିବା ପରେ ନଜିମାଙ୍କ ଶାଶୁ ବାତୁଲ ହାଜି ତାଙ୍କୁ ତାଙ୍କର କିଡ୍‌ନି ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଉଭୟଙ୍କର ରକ୍ତ ଗ୍ରୁପ୍‌ ମିଶିବା ସହ ଉଭୟେ ଉଭୟଙ୍କର ସଂପର୍କୀୟ ଥିବାରୁ ଡାକ୍ତର ବାତୁଲ ହାଜିଙ୍କର ଗୋଟିଏ କିଡ୍‌ନି ନେଇ ନଜିମାଙ୍କ ଠାରେ ସଫଳତାର ସହ ପ୍ରତିରୋପଣ କରିଥିଲେ। ଏବେ ଉଭୟ କିଡ୍‌ନି ଦାତା ଓ ଗ୍ରହୀତା ସମସ୍ତେ ସୁସ୍ଥ ଅଛନ୍ତି। ମୋର ଗୋଟିଏ କିଡ୍‌ନି ତିନି ଜଣ ଅର୍ଥାତ୍‌, ମୋ ବୋହୂ, ପୁଅ ଓ ନାତିର ଜୀବନ ବଞ୍ଚାଇ ପାରିଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ବାତୁଲ ହାଜି। ସେହିପରି ନଜିମାଙ୍କ ଠାରେ କିଡ୍‌ନି ପ୍ରତିରୋପଣ କରିଥିବା ଡାକ୍ତର ଦୀପକ କ୍ରିପିକର କହିଛନ୍ତି ଯେ କୌଣସି ଶାଶୁ କୌଣସି ବୋହୂକୁ ନିଜର କିଡ୍‌ନି ଦାନ କରିବାରେ ଏହା ପ୍ରଥମ ଘଟଣା।

ସମ୍ବନ୍ଧିତ ଖବର