ନୂଆଦିଲ୍ଲୀ: ପୁଣେରେ ଜଣେ ଯୁବ କୁସ୍ତିଯୋଦ୍ଧାଙ୍କ ବୁଧବାର ଜିମରେ ବ୍ୟାୟାମ କରୁଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ କୁସ୍ତିଯୋଦ୍ଧାଙ୍କ ନାମ ବିକ୍ରମ ପାରଖି ‌ବୋଲି ଜଣାପଡ଼ିଛି। 

Advertisment

ସୂଚନାଯୋଗ୍ୟ, ଲୋକପ୍ରିୟ କୁସ୍ତିଯୋଦ୍ଧା ସବୁଦିନ ପରି ଗତ ବୁଧବାର ବି ଜିମକେନ୍ଦ୍ରକୁ ଯାଇଥିଲେ। ଜିମ କେନ୍ଦ୍ରରେ ବ୍ୟାୟାମ କରୁଥିବା ବେଳେ ବିକ୍ରମଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ସେ ବ୍ୟାୟାମ ଛାଡ଼ି ତଳେ ବସିପଡ଼ିଥିଲେ। ସେ ପରେ ଚଟାଣରେ ଶୋଇପଡ଼ିଥିଲେ। ଜିମକେନ୍ଦ୍ରରେ ଥିବା ସଦସ୍ୟମାନେ ତୁରନ୍ତ ବିକ୍ରମଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର କୁସ୍ତିଯୋଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ କୁସ୍ତିଯେ‌ାଦ୍ଧାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା। 

 ବିକ୍ରମ ପାରଖି ମହାରାଷ୍ଟ୍ର କେସରି ଚମ୍ପିୟାନସିପରେ ଜିତି ନିଜ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ। ଏଥିସହିତ ବିକ୍ରମ ପାରଖି ଅନେକ କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିଲେ। ହଠାତ ତାଙ୍କର ଏଭଳି ମୃତ୍ୟୁକୁ ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସା୍‌ଥୀ କେହିବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି।

ବିକ୍ରମଙ୍କ ପରିବାରବର୍ଗଙ୍କ କଥା କହିଲେ ଘରେ ତାଙ୍କର ବାପା ଶିବାଜିରାୱ ପାରଖି ଓ ଭାଇ ବାବାସାହେବ ପାରଖି ଅଛନ୍ତି। ବିକ୍ରମଙ୍କ ବାପା ଜଣେ ଅବସରପ୍ରାପ୍ତ ସୈନିକ ଥିବା ବେଳେ ଭାଇ ରାଜନୀତିରେ ସକ୍ରିୟ ଅଛନ୍ତି।