ଭୁଲବଶତଃ ୟୁକ୍ରେନ୍‌ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିଥିବା ସ୍ୱୀକାର କଲା ଇରାନ୍‌; ଦୋଷୀଙ୍କୁ ଦଣ୍ଡ, କ୍ଷତିପୂରଣ ଓ କ୍ଷମାପ୍ରାର୍ଥନା ଦାବି କଲା ୟୁକ୍ରେନ୍‌

ତେହେରାନ୍‌/ କିଏଭ୍‌: ୟୁକ୍ରେନ୍‌ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ (ୟୁଆଇଏ)ର ଯାତ୍ରୀବାହୀ ବିମାନକୁ ଗତ ବୁଧବାର ଦିନ ଅଜାଣତରେ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେଇଥିବା ଇରାନ୍‌ ସ୍ୱୀକାର କରିଛି। ଇରାନ୍‌ର ସ୍ୱୀକାରୋକ୍ତି ପରେ ଏହି ଘଟଣାରେ ନିଜର ଗଭୀର ପ୍ରତିକ୍ରିୟା ପ୍ରକାଶ କରି ୟୁକ୍ରେନ୍‌ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଦଣ୍ଡବିଧାନ ସହ କ୍ଷତିପୂରଣ ପ୍ରଦାନ ଓ ସାଧାରଣରେ ଆଧିକାରୀକ ଭାବେ କ୍ଷମାପ୍ରାର୍ଥନା କରିବାକୁ ଇରାନ୍‌ ନିକଟରେ ଦାବି କରିଛି।

ୟୁକ୍ରେନ୍‌ର ରାଷ୍ଟ୍ରପତି ଭ୍ଲୋଦିମିର୍‌ ଜେଲେନସ୍‌ଙ୍କି କହିଛନ୍ତି, ‘ୟୁକ୍ରେନ୍‌ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ (ୟୁଆଇଏ)ର ଯାତ୍ରୀବାହୀ ବିମାନକୁ ଯେଉଁମାନେ କ୍ଷେପଣାସ୍ତ୍ର ମାଡ଼କରି ଖସାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟାଳୟ ଦ୍ୱାରା ଇରାନ୍‌ ସେମାନଙ୍କୁ ଦଣ୍ଡିତ କରୁ ଏବଂ ଏହି ଘଟଣାରେ କ୍ଷତିପୂରଣ ପ୍ରଦାନ କରୁ।’

Khaleej Times

ଏଥିସହ ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ସହ ‘ବ୍ଲାକ୍‌ବକ୍ସ’କୁ ମଧ୍ୟ ୟୁକ୍ରେନ୍‌କୁ ପ୍ରଦାନ କରିବା କରିବା ସହ ଏହି ପୂରା ଘଟଣାର ଏକ ବିଧିବଦ୍ଧ ତଦନ୍ତ କରିବାକୁ ଇରାନ୍‌ ଯାଇଥିବା ୟୁକ୍ରେନ୍‌ର ୪୫ ଜଣିଆ ବିଶେଷଜ୍ଞ ଦଳକୁ ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିବାକୁ ସେ ଇରାନ୍‌ ନିକଟରେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ଇରାନ୍‌ ୟୁକ୍ରେନ୍‌ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ (ୟୁଆଇଏ)ର ଯାତ୍ରୀବାହୀ ବିମାନକୁ ଅଜାଣତରେ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେଇଥିଲା। ଏହି ଦୁର୍ଘଟଣାରେ ୧୭୬ ଜଣଙ୍କର ପ୍ରାଣହାନୀ ଘଟିଥିଲା। ଆଜି (ଶନିବାର) ଇରାନ୍‌ର ରାଷ୍ଟ୍ରପତି ହାସନ୍‌ ରୁହାନୀ, ୟୁକ୍ରେନ୍‌ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ (ୟୁଆଇଏ)ର ଯାତ୍ରୀବାହୀ ବିମାନକୁ ଇାରନ୍‌ ଅଜାଣତରେ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେଇଥିବା ସ୍ୱୀକାର କରିବା ସହ ଏଥି ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ପରେ ୟୁକ୍ରେନ୍‌ ପକ୍ଷରୁ ଏପରି କୁହାଯାଇଛି।

ସମ୍ବନ୍ଧିତ ଖବର