ସ୍ତ୍ରୀକୁ ବ୍ଲାକମେଲିଂର ପ୍ରତିଶୋଧ: ପୁଲିସ କନଷ୍ଟେବଳଙ୍କ ନାକ, କାନ ଓ ଓଠକୁ ଧାରୁଆ ଅସ୍ତ୍ରରେ କାଟିଦେଲା ସ୍ବାମୀ

ଲାହୋର: ପାକିସ୍ତାନର ଲାହୋରରେ ଜଣେ ବ୍ୟକ୍ତି ପୁଲିସ କନେଷ୍ଟବଳଙ୍କ ନାକ, କାନ ଓ ଓଠକୁ ଅତି ନିର୍ଦ୍ଦୟ ଭାବେ ଧାରୁଆ ଅସ୍ତ୍ରରେ କାଟି ଦେଇଛନ୍ତି । ଏପରି କାଣ୍ଡ କରିବା ପଛର କାରଣ ତାଙ୍କ ଅନୁଯାୟୀ ପୁଲିସ କନଷ୍ଟେବଳ କାଳେ ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ କରୁଥିଲେ ଏବଂ ତାଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

ପଞ୍ଜାବ ପୁଲିସ କହିଛି ଯେ, ଲାହୋରଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଝାଙ୍ଗ ଜିଲ୍ଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଇଫତିଖର ଏବଂ ତାଙ୍କ ବନ୍ଧୁମାନେ କନେଷ୍ଟବଳ କାସୀମ ହାୟତଙ୍କୁ ନିର୍ଯାତନା ଦେଇଥିଲେ । ତାପରେ ତାଙ୍କ ନାକ, କାନ ଓ ଓଠକୁ ଗୋଟିଏ ପରେ ଗୋଟିଏ କାଟି ଦେଇଥିଲେ ।

ଜଣେ ପୁଲିସ ଅଧିକାରୀ ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଇଫତିଖର ସନ୍ଦେହ କରୁଥିଲେ ଯେ ହାୟାତ୍ ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି। ତା’ପରେ ସେ ତାଙ୍କ ୧୨ ଜଣ ବନ୍ଧୁଙ୍କ ସହ ଘରକୁ ଫେରୁଥିବା ସମୟରେ କନେଷ୍ଟବଳ କାସୀମ ହାୟତଙ୍କୁ ଅପହରଣ କରି ନେଇଥିଲେ। ତା’ପରେ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ଯେଉଁଠାରେ ତାଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦେଇଥିଲେ। ଏହାପରେ ପୁଲିସ କନେଷ୍ଟବଳଙ୍କୁ ଉଦ୍ଧାର କରି ଝାଙ୍ଗ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଇଫତିଖର ଦାବି କରିଛନ୍ତି ଯେ କନେଷ୍ଟବଳ ହୟାତ୍ ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ବେଳେ ପୁଅକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଇଫତିଖର ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଯେତେବେଳେ ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ସେହି ସମୟର ଭିଡିଓ ମଧ୍ୟ କରିଥିଲେ ଏବଂ ତାଙ୍କୁ ପରେ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଇଫତିଖର ଏବଂ ତାଙ୍କ ସହଯୋଗୀଙ୍କୁ ଖୋଜିବା ପାଇଁ ପୁଲିସ ଅନେକ ଜାଗାରେ ଚଢ଼ାଉ କରିଛି ଏବଂ ତଦନ୍ତ ଆଗକୁ ବଢ଼ାଇଛି।

ସମ୍ବନ୍ଧିତ ଖବର